ନୂଆଦିଲ୍ଲୀ: ଗତକାଲି ଭାରତ ଗସ୍ତରେ ଆସିଥିଲେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କୁସିଦା। ଏହି ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଆଲୋଚନା କରିବା ସହ ଏକ ବିଶେଷ ଉପହାର 'କୃଷ୍ଣ ପଙ୍ଖୀ' ପ୍ରଦାନ କରିଥିବା ଜଣାପଡ଼ିଛି। ଏହାର ଏକ ଫଟୋ ସାମ୍ନାକୁ ଆସିଥିବା ବେଳେ ଫଟୋରେ କୃଷ୍ଣ ପଙ୍ଖୀଟି ଅତ୍ୟନ୍ତ ଚମତ୍କାର ଦେଖାଯାଉଛି। ଏହି ଉପହାରକୁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେଉଥିବାବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚନ୍ଦନ କାଠରେ ନିର୍ମିତ ଏହି କୃଷ୍ଣ ପଙ୍ଖୀକୁ ରାଜସ୍ଥାନର କାରିଗରମାନେ ବହୁ ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁଯାୟୀ, କାରିଗରମାନେ ଏହାକୁ ପାରମ୍ପାରିକ ଉପାୟରେ ତିଆରି କରିଛନ୍ତି। କୃଷ୍ଣ ପଙ୍ଖୀ ଉପରେ ଚମତ୍କାର କାରୁକାର୍ଯ୍ୟ କରାଯାଇଥିବା ଦେଖାଯାଇଛି। ଅତି ସୁନ୍ଦର ଦିଶୁଥିବା ଏହି କୃଷ୍ଣ ପଙ୍ଖୀ ଉପରେ ଭାରତର ଜାତୀୟ ପକ୍ଷୀ ମୟୂରକୁ ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ କୃଷ୍ଣ ପଙ୍ଖୀକୁ ପାରମ୍ପରିକ ବିଞ୍ଛଣାର ଆକାର ଦିଆଯାଇଛି। ବିଞ୍ଛଣାରେ ଭଗବାନ କୃଷ୍ଣ ଶିଖାଇଯାଇଥିବା ପ୍ରେମ, ଦୟା ଏବଂ କରୁଣାର ପ୍ରତୀକକୁ ରଖାଯାଇଛି।
/sambad/media/post_attachments/fc35c4f1c613e02136e3763520b6de7a3c8f3923104796f2e06f9e912ecd6365.jpg)
ତେବେ ଲଦାଖ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଚୀନ୍ ସହ ବ୍ୟବସାୟ ସମ୍ଭବ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କୁସିଦାଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଅନୁଷ୍ଠିତ ଆଲୋଚନା ବେଳେ ଭାରତର ବୈଦେଶିକ ସଚିବ ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଏହା କହିଛନ୍ତି। ଚଳିତବର୍ଷ ଶେଷରେ ଚାଇନାରେ ବ୍ରକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଦିନକ ପରେ ଦ୍ବିପାକ୍ଷିକ କଥାବାର୍ତ୍ତାକୁ ସୁଦୃଢ଼ କରିବା ସହ ସମ୍ମିଳନୀ ସଂକ୍ରାନ୍ତୀୟ ଆଲୋଚନା ପାଇଁ ବେଜିଂ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।