ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ବାଲିଯାତ୍ରା କଥା କହିଲେ,ବିଜୁଙ୍କ ସମ୍ପର୍କରେ କହିଲେନି

ନୂଆଦିଲ୍ଲୀ : ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବାଲିଯାତ୍ରାର ଗୌରବପୂର୍ଣ୍ଣ ବାଣିଜ୍ୟିକ କାରବାର ସମ୍ପର୍କରେ ମନେପକାଇ ଦେଇଛନ୍ତି। ଭାରତ- ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କର ପ୍ରାଚୀନତା ବିଷୟରେ ଉଲ୍ଲେଖ କରିବାକୁ ଯାଇ ସେ ଏହା କହିଛନ୍ତି। କିନ୍ତୁ, ସେ ନିଜ ଭାଷଣରେ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ପଦେ ମଧ୍ୟ କହିନାହାନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଜି ସେଠାରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିଥିଲେ। ଇଣ୍ଡୋନେସିଆରେ ଅତ୍ୟନ୍ତ ପରିଚିତ ତଥା ସେଠାକାର ସର୍ବୋଚ୍ଚ ଉପାଧିରେ ଭୂଷିତ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ କିଛି କହିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ , ମୋଦି ତାଙ୍କ ସମ୍ପର୍କରେ ପଦୁଟିଏ ବି କହିନଥିଲେ। ମାତ୍ର, ଭାରତ ସହ ଇଣ୍ଡୋନେସିଆର ସମ୍ପର୍କ ୧୭୦୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଏବଂ ଓଡ଼ିଶାର ପ୍ରସିଦ୍ଧ ବାଲିଯାତ୍ରା ଉଭୟ ରାଷ୍ଟ୍ର ମଧ୍ୟରେ ନୌବାଣିଜ୍ୟ କାରବାର ସୃଷ୍ଟି କରିଥିଲା ବୋଲି ସେ କହିଥିଲେ।

ଅପରପକ୍ଷେ, ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ବିବିସି ନ୍ୟୁଜ୍‌ରେ ‘ବିଜୁପଟ୍ଟନାୟକଙ୍କୁ କାହିଁକି ଇଣ୍ଡୋନେସିଆ ଭୁଲିପାରୁନାହିଁ’ ଶୀର୍ଷକରେ ଏକ ଲେଖା ପ୍ରକାଶିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି ଏବଂ ଇଣ୍ଡୋନେସିଆର ସ୍ୱାଧୀନତାରେ ବିଜୁ ପଟ୍ଟନାୟକ କେଉଁ ପ୍ରମୁଖ ଭୂମିକା ନିର୍ବର୍ାହ କରିଥିଲେ, ସେ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା। ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ପରାକାଷ୍ଠାକୁ ତତ୍କାଳୀନ ଇଣ୍ଡୋନେସିଆ ଦ୍ୱାରା ପ୍ରଶଂସା କରାଯାଇଥିବାବେଳେ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ବିନତାଙ୍ଗ ଜସା ଉତାମ’ରେ ମଧ୍ୟ ସମ୍ମାନିତ କରାଯାଇଥିବା ଏଥିରେ ଉଲ୍ଳେଖ କରାଯାଇଥିଲା।

ଇଣ୍ଡୋନେସିଆ ସ୍ୱାଧୀନତା ଆନ୍ଦୋଳନରେ ବିଜୁ ବାବୁଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ତାଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ପଦୁଟିଏ ଉଚ୍ଚାରଣ କରିଥିଲେ, ତାହା କେବଳ ଓଡ଼ିଶା ପାଇଁ ନୁହେଁ ଭାରତ ଓ ବିଶ୍ୱରେ ଗୌରବର ମୁହୂର୍ତ୍ତ ହୋଇଥା’ନ୍ତା ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର