ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୪ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋସେଫ ଆର୍. ବାଇଡେନଙ୍କ ସହିତ ଟୋକିଓଠାରେ ଏକ ଉତ୍ସାହୀ ତଥା ପ୍ରଭାବୀ ବୈଠକ କରିଥିଲେ। ଏହି ବୈଠକର ନିର୍ଯାସ ବେଶ ପରିଣାମଦର୍ଶୀ ହୋଇପାରିଛି ଯାହା କି ଦ୍ୱିପାକ୍ଷିକ ସହଯୋଗିତାକୁ ଆହୁରି ଗଭୀର ତଥା ଗତିଶୀଳ କରାଇ ପାରିବ।
ଉଭୟ ନେତା ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରକୁ ସ୍ୱାଗତ ଜଣାଇଥିଲେ, ଯାହା କି ୟୁଏସ୍ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନକୁ ଆପୋସ ପ୍ରାଥମିକତା ଥିବା କ୍ଷେତ୍ର ଯଥା ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଏସ୍ଏମଇ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଭାରତରେ ନିବେଶ ସହାୟତା ପ୍ରଦାନ ଜାରି ରଖିବାରେ ସମର୍ଥ କରାଇ ପାରିବ। ଉଭୟ ପକ୍ଷ ଫଳପ୍ରଦ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ବିକାଶଶୀଳ ପ୍ରଯୁକ୍ତି (ଆଇସିଇଟି) ଉପରେ ଏକ ଭାରତ-ଆମେରିକା ପଦକ୍ଷେପକୁ ଶୁଭାରମ୍ଭ କରିଥିଲେ । ଭାରତର ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ ଆମେରିକା ଜାତୀୟ ସୁରକ୍ଷା ପରିଷଦର ଯୁଗ୍ମ ନେତୃତ୍ୱରେ ଆଇସିଇଟି ଏଆଇ, କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ, ୫ଜି/୬ଜି, ବାୟୋଟେକ, ମହାକାଶ ଓ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଉଭୟ ଦେଶର ସରକାର, ଶିକ୍ଷାନୁଷ୍ଠାନ ଓ ଶିଳ୍ପୋଦ୍ୟୋଗ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବ।
ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗିତା ଭାରତ-ଆମେରିକା ଦ୍ୱିପାକ୍ଷିକ ସୂଚୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବାରୁ ଉଭୟ ପକ୍ଷ ଏହି ସହଯୋଗକୁ କିଭଳି ଆହୁରି ମଜଭୁତ କରାଯାଇ ପାରିବ, ସେ ବାବଦରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନଙ୍କ ବର୍ଦ୍ଧିତ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଭାରତ ଓ ଆମେରିକା ଦୀର୍ଘଦିନ ଧରି ଜାରି ରହିଥିବା ଭାକ୍ସିନ ଆକ୍ସନ ପ୍ରୋଗ୍ରାମ (ଭିଏପି)କୁ ୨୦୨୭ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ, ଯାହା ଦ୍ୱାରା ଯୁଗ୍ମ ଜୈବଚିକିତ୍ସା ଗବେଷଣା ଜାରି ରହିପାରିବ, ଯାହା କି ଟିକା ଓ ତତ୍ସଂକ୍ରାନ୍ତ ପ୍ରଯୁକ୍ତି ବିକାଶରେ ସହାୟକ ହୋଇଥିଲା।
ଦୁଇ ନେତା ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସହିତ ପାରସ୍ପରିକ ହିତ ସଂକ୍ରାନ୍ତ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ବିଚାର ଆଦାନପ୍ରଦାନ କରିଥିଲେ। ଏକ ଅବାଧ, ଉନ୍ମୁକ୍ତ ତଥା ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ନିମନ୍ତେ ସେମାନଙ୍କ ଦୃଷ୍ଟିକୋଣର ପୁଷ୍ଟି କରିଥିଲେ। ଉଭୟ ନେତା ନିଜ ଉପଯୋଗୀ କଥାବାର୍ତ୍ତା ଜାରି ରଖିବା ଏବଂ ଭାରତ-ଆମେରିକା ସହଯୋଗିତାକୁ ଉଚ୍ଚତର ସ୍ତରକୁ ନେବା ଲାଗି ନିଜର ଆପୋସ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ବାବଦରେ ସହମତି ପ୍ରକାଶ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/36-15.jpg)