ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଫେବୃଆରୀ, ୨୦୨୬ ଅପରାହ୍ନ ପ୍ରାୟ ୧ଟା ୩୦ରେ ‘ସେବା ତୀର୍ଥ’ ଭବନ ପରିସରର ନାମ ଉନ୍ମୋଚନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ। ଏହା  ସହ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ‘ସେବା ତୀର୍ଥ’ଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଏହି ଉଦଘାଟନ ଦେଶର ପ୍ରଶାସନିକ ଶାସନ ଢାଞ୍ଚାରେ ଏକ ପରିବର୍ତ୍ତନକାରୀ ମାଇଲଖୁଣ୍ଟ। ଏହା ଏକ ଆଧୁନିକ, ଦକ୍ଷ, ସୁଗମ ଏବଂ ନାଗରିକ-କୈନ୍ଦ୍ରିକ ଶାସନ ବ୍ୟବସ୍ଥା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରେ।

Advertisment

ଦଶନ୍ଧି ଦଶନ୍ଧି ଧରି, ଅନେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଏବଂ ମନ୍ତ୍ରଣାଳୟ ସେଣ୍ଟ୍ରାଲ ଭିଷ୍ଟା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଏବଂ ପୁରୁଣା କାର୍ଯ୍ୟଳୟରୁ କାର୍ଯ୍ୟ କରୁଥିଲେ। ଏହି ବିକ୍ଷିପ୍ତ ଅବସ୍ଥା ଯୋଗୁଁ କାର୍ଯ୍ୟକ୍ଷମ ଅକ୍ଷମତା, ସମନ୍ୱୟର ଅଭାବ, ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଏବଂ କାର୍ଯ୍ୟ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେଉନଥିଲା । ନୂତନ ଅଟ୍ଟାଳିକା ପରିସରଗୁଡ଼ିକ ଆଧୁନିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସୁବିଧା ମଧ୍ୟରେ ପ୍ରଶାସନିକ କାର୍ଯ୍ୟଗୁଡ଼ିକୁ ଏକତ୍ରିତ କରି ଏହି ସମସ୍ୟାଗୁଡ଼ିକର ସମାଧାନ କରୁଛି। ‘ସେବା ତୀର୍ଥ’ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ୍ ସଚିବାଳୟ ରହିଛି, ଯାହା ପୂର୍ବରୁ ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ଥିଲା।

‘କର୍ତ୍ତବ୍ୟ ଭବନ-୧ ଓ ୨’ରେ ଅର୍ଥ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟ କାର୍ଯ୍ୟ କରିବ।

ଆହୁରି ପଢ଼ନ୍ତୁ: Sarala Maheshwari: ସ୍ୱର୍ଣ୍ଣିମ ଯୁଗର ଅନ୍ତ: ଦୂରଦର୍ଶନ ଖବର ପାଠିକା ସରଳା ମାହେଶ୍ୱରୀଙ୍କ ପରଲୋକ

ଉଭୟ ବିଲ୍ଡିଂ କମ୍ପ୍ଲେକ୍ସରେ ଡିଜିଟାଲ୍ ସଂଯୁକ୍ତ କାର୍ଯ୍ୟାଳୟ, ସୁବ୍ୟବସ୍ଥିତ ସର୍ବସାଧାରଣ ଯୋଗାଯୋଗ ଜୋନ୍ ଏବଂ କେନ୍ଦ୍ରୀକୃତ ସ୍ୱାଗତ ସୁବିଧା ବା ରିସେପ୍ସନ ବ୍ୟବସ୍ଥା  ରହିଛି। ଏହି ବୈଶିଷ୍ଟ୍ୟଗୁଡିକ ସହଯୋଗ, ଦକ୍ଷତା, ନିରବଚ୍ଛିନ୍ନ ଶାସନ, ଉନ୍ନତ ନାଗରିକ ସମ୍ପୃକ୍ତି ଏବଂ କର୍ମଚାରୀଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ୪-ଷ୍ଟାର ଜିଆରଆଇଏଚଏ ମାନକ ଅନୁଯାୟୀ ପରିକଳ୍ପିତ ଏହି କମ୍ପ୍ଲେକ୍ସଗୁଡ଼ିକରେ ଅକ୍ଷୟ ଶକ୍ତି ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା ସମାଧାନ ଏବଂ ଉଚ୍ଚ-କ୍ଷମତା ସମ୍ପନ୍ନ ଅଟ୍ଟାଳିକା ଅନ୍ତର୍ଭୁକ୍ତ କରାଯାଇଛି। 

ଆହୁରି ପଢ଼ନ୍ତୁ: North Korea: ଝିଅକୁ ସିଂହାସନ ହସ୍ତାନ୍ତର କରିବେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ!

ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ସହିତ ପରିବେଶ ଉପରେ ପଡୁଥିବା ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ। ବିଲ୍ଡିଂ ପରିସରରେ ସ୍ମାର୍ଟ ଆକ୍ସେସ୍ କଣ୍ଟ୍ରୋଲ ସିଷ୍ଟମ, ସର୍ଭେଲାନ୍ସ ନେଟୱାର୍କ ଏବଂ ଉନ୍ନତ ଜରୁରୀକାଳୀନ ପ୍ରତିକ୍ରିୟା ଭିତ୍ତିଭୂମି ଭଳି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ରହିଛି, ଯାହା ଅଧିକାରୀ ଏବଂ ପରିଦର୍ଶକଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସୁଗମ ପରିବେଶ ନିଶ୍ଚିତ କରିବ।