ଆବଶ୍ୟକତା ଦୃଷ୍ଟିରୁ ପୁଲିସ ଯାନବାହାନ କେବେ ବି ପୁରୁଣା ହେବା ଅନୁଚିତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସମ୍ବୋଧିତ କରିଛନ୍ତି । ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୂଜା ଋତୁରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉତ୍ତମ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ । ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ଏକ ଦୃଷ୍ଟାନ୍ତ। ସମ୍ବିଧାନ ଅନୁସାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଅଧୀନ ହେଲେ ମଧ୍ୟ ସେଗୁଡ଼ିକର ଦେଶର ଏକତା ଓ ସଂହତି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ବୋଲି ସେ କହିଥିଲେ।

“ପ୍ରତ୍ୟେକ ରାଜ୍ୟ ଜଣେ ଆଉ ଜଣଙ୍କ ଠାରୁ ଶିଖିବା ଦରକାର । ପ୍ରେରଣା ନେବା ଦରକାର । ଦେଶର ଉନ୍ନତି ପାଇଁ କାମ କରିବା ଦରକାର ଓ ତାହା ହିଁ ସାମ୍ବିଧାନିକ ପ୍ରେରଣା ଓ ଏହା ଆମ ଦେଶବାସୀଙ୍କ ପ୍ରତି ଆମର ଦାୟିତ୍ୱ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅପରାଧ ଆଉ ଏକ ନିର୍ଦ୍ଦିଷ୍ଟ ଅଂଚଳ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ସେଥିପାଇଁ ପରସ୍ପର ସହଯୋଗ, ରାଜ୍ୟ ଓ କେନ୍ଦ୍ର ସଂସ୍ଥା ମଧ୍ୟରେ ସମନ୍ୱୟ ଆଜି ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି । ସେ କହିଥିଲେ ଯେ ଏହା ସାଇବର ଅପରାଧ ହେଉ ବା ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ପାଇଁ ଡ୍ରୋନର ଉପଯୋଗ, ଏଭଳି ଆତଙ୍କର ମୁକାବିଲା କରିବା ନିମନ୍ତେ ସରକାରଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ । ଆଇନଶୃଙ୍ଖଳା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କହିଥିଲେ, ୫-ଜିର ସୁବିଧା ଯୋଗୁ ଆଗୁଆ ସତର୍କତା ମିଳିପାରିବ, ଆର୍ଥିକ ସ୍ଥିତି ସତେତ୍ୱ ସାଧାରଣ ନାଗରିକଙ୍କ ମନରେ ସୁରକ୍ଷାର ଚିନ୍ତା ମଜବୁତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ଅଗ୍ରାଧିକାର ଦେବା ଉପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ସମଗ୍ର ଦେଶ ପାଇଁ ଗୋଟିଏ ପ୍ରକାର ପୁଲିସ ପୋଷାକ ପ୍ରବର୍ତ୍ତନ ନିମନ୍ତେ କହିଥିଲେ। ଏହା କେବଳ ଗୁଣାତ୍ମକ ସାମଗ୍ରୀ ମାନ ବଜାୟ ରଖିବ ନାହିଁ, ବରଂ ସେମାନଙ୍କୁ ଏକକ ପରିଚୟ ପ୍ରଦାନ କରିବ । ଦେଶର ନାଗରିକମାନେ ରାଜ୍ୟ ନିର୍ବିଶେଷରେ ସେମାନଙ୍କୁ ପୁଲିସର ବୋଲି ଜାଣିବେ । ରାଜ୍ୟଗୁଡ଼ିକ ସେମାନଙ୍କ ନମ୍ବର ଓ ପରଚିପତ୍ର ଚିହ୍ନ ରଖିପାରିବେ । “ ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ’ ମୁଁ କେବଳ ଏହି ଚିନ୍ତାଧାରା ଆପଣଙ୍କ ବିଚାର ପାଇଁ ରଖୁଛି” ବୋଲି ସେ କହିଥିଲେ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ବାହାରିଥିବା ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ୱର ସହ  ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ନୂତନ ବର୍ଜ୍ୟ ବସ୍ତୁ ପରିହାର ନୀତି ପରିପ୍ରେକ୍ଷୀରେ ସେମାନଙ୍କ ଯାନବାହନ ସମ୍ପର୍କରେ ସମୀକ୍ଷା କରିବାକୁ କହିଥିଲେ । “ପୁଲିସ ଯାନବାହନ ଏହାର ସାମର୍ଥ୍ୟର ଆବଶ୍ୟକତା ଦୃଷ୍ଟିରୁ କେବେ ବି ପୁରୁଣା ହେବା ଅନୁଚିତ” ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର