‘ମନ୍‌ କି ବାତ୍‌’ରେ ଗୁରୁପ୍ରସାଦଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ପର ଜଟିଳତାରେ ମୃତ୍ୟୁବରଣ କରିଥିବା ଭାରତୀୟ ପ୍ରାଶାସନିକ ସେବାର ୧୯୮୬ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ତଥା ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସଚିବ ସ୍ବର୍ଗତ ଡ. ଗୁରୁପ୍ରସାଦ ମହାପାତ୍ରଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ତାଙ୍କର ମାସିକ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମର ୭୮ତମ ସଂସ୍କରଣରେ ମନେ ପକାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଗୁରୁପ୍ରସାଦ କରୋନାରେ ଆକ୍ରାନ୍ତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କର ଦାୟିତ୍ବ ନିର୍ବାହ କରିଚାଲିଥିଲେ। ଦେଶରେ ଅକ୍ସିଜେନ୍‌ ଉତ୍ପାଦନ କିପରି ବଢିବ, କୋଣ ଅନୁକୋଣ ପର୍ଯ୍ୟନ୍ତ କିପରି ତାହା ପହଂଚିପାରିବ ସେ ନେଇ ସେ ଦିନରାତି କାର୍ଯ୍ୟ କରୁଥିଲେ। କୋର୍ଟକଚେରି ଓ ଗଣମାଧ୍ୟମର ଚାପ ସହ ତାଙ୍କର ଅସୁସ୍ଥତା ବଢିଚାଲିଥିଲେ ବି ସେ ଅକ୍ଳାନ୍ତ ପରିଶ୍ରମ କରି ଚାଲିଥିଲେ। ସେ ତାଙ୍କର କାର୍ଯ୍ୟ ବନ୍ଦ କରି ନ ଥିଲେ। ତାଙ୍କୁ ମନା କରିବା ପରେ ବି ଜିଦ୍‌ରେ ଅଡିବସି ଅକ୍ସିଜେନ ସଂବନ୍ଧିତ ଭିଡିଓ କନ୍ଫରେନ୍ସିଂ ବୈଠକରେ ଯୋଗ ଦେଉଥିଲେ। ଦେଶବାସୀଙ୍କ ପାଇଁ ତାଙ୍କର ଏମିତି ଚିନ୍ତା ରହୁଥିଲା ଯେ ହସ୍‌ପିଟାଲ ଶଯ୍ୟାରେ ଥାଇ ବି ନିଜ ଜୀବନକୁ ଭ୍ରୂକ୍ଷେପ ନ କରି ଲୋକମାନଙ୍କ ପାଖକୁ ଅକ୍ସିଜେନ୍‌ କିପରି ପହଞ୍ଚାଯିବ, ସେ ବ୍ୟବସ୍ଥା କରୁଥିଲେ। କରୋନା ତାଙ୍କୁ ଆମଠାରୁ ଛଡାଇନେଲା, ଦେଶ ଜଣେ ନିଷ୍ଠାପର କର୍ମବୀରଙ୍କୁ ହରାଇଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ, ଚଳିତ ମାସ ୧୯ ତାରିଖରେ ଡ. ଗୁରୁପ୍ରସାଦ ମହାପାତ୍ରଙ୍କର ଦେହାନ୍ତ ହୋଇଥିଲା। କୋଭିଡ୍-୧୯ ମହାମାରୀ ମୁକାବିଲା ପାଇଁ ଗଠିତ କ୍ଷମତାସମ୍ପନ୍ନ ଗୋଷ୍ଠୀର ସେ ମୁଖ୍ୟ ଥିଲେ। ସାରା ଦେଶରେ ଅକ୍ସିଜେନ ଯୋଗାଣକୁ ସୁଗମ କରିବା ଦିଗରେ ଡ. ମହାପାତ୍ରଙ୍କ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। କରୋନାରେ ସଂକ୍ରମିତ ହେବା ସତ୍ତ୍ବେ ସେ ନିଜର କର୍ତ୍ତବ୍ୟ ପ୍ରତି ସମର୍ପିତ ରହିଥିଲେ।

ସମ୍ବନ୍ଧିତ ଖବର