ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ସମାଧାନ ବାହାର କର : ପୁଟିନଙ୍କୁ କହିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଦୁଇ ନେତା କଥାବାର୍ତ୍ତା କରିଛନ୍ତି ।

ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଟେଲିଫୋନ ଆଲୋଚନା ବେଳେ ମୋଦୀ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇବା ସହ ଏହି ସମସ୍ୟାର ସମାଧାନ ପାଇଁ କୂଟନୈତିକସ୍ତରରେ ଆଲୋଚନା ହିଁ ସର୍ବୋତ୍ତମ ପନ୍ଥା ଓ ଏହା ସପକ୍ଷରେ ଭାରତ ରହିଛି ବୋଲି ଜଣାଇଥିଲେ ।

ଅନ୍ୟପକ୍ଷରେ ପୁଟିନଙ୍କ ଗତ ଭାରତ ଗସ୍ତ କାଳରେ ନିଆଯାଇଥିବା ବିଭିନ୍ନ ଦ୍ବିପାକ୍ଷିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଉପରେ ଉଭୟ ନେତା ଆଲୋଚନା କରିଥିଲେ । କୃଷି ସାମଗ୍ରୀ, ସାର ଓ ଫାର୍ମା ଉତ୍ପାଦର ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ପ୍ରସଙ୍ଗରେ ଉଭୟ ରାଜି ହୋଇଥିଲେ ।

ଏହା ଛଡ଼ା ଶକ୍ତି ଓ ଓ ଖାଦ୍ୟ କ୍ଷେତ୍ର ଉପରେ ସହଯୋଗ ବଢ଼ାଇବା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ୟୁରୋପୀୟ ଦେଶମାନେ ରୁଷଠାରୁ ତୈଳକ୍ରୟ କମ କରିଦେଇଛନ୍ତି । ଏହା ଫଳରେ ରୁଷ ଭାରତକୁ ରିହାତି ଦରରେ ତୈଳ ଯୋଗାଉଛି । ଏହାର ସୁଯୋଗ ନେଇ ଭାରତ ରୁଷଠାରୁ ପ୍ରଚୁର ପରିମାଣରେ ତେଲ କିଣି ଚାଲିଛି । ଏପରିକି ରୁଷ ଏବେ ଇରାକକୁ ଟପି ଭାରତର ନଂ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି ।

ସମ୍ବନ୍ଧିତ ଖବର