ସାମ୍ଭାବ୍ୟ ବାତ୍ୟା ‘ୟାସ୍’ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ଉଚ୍ଚସ୍ତରୀୟ ବୈଠକ କରି ସାମ୍ଭାବ୍ୟ ବାତ୍ୟା ‘ୟାସ୍’ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରାଳୟ, ଏଜେନ୍‌ସି ଗୁଡ଼ିକ ବୈଠକରେ ସାମିଲ ‌ହୋଇଥିଲେ। ଲୋକମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବାରେ ରାଜ୍ୟମାନଙ୍କୁ ସହଯୋଗ କରିବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଯଥା ସମ୍ଭବ ଶୀଘ୍ର ବିଜୁଳି ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ବିଶେଷକରି ହସ୍‌ପିଟାଲ ମାନଙ୍କରେ କୋଭିଡ୍ ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ଯେଭଳି ବ୍ୟାଘାତ ନହୁଏ ସେନେଇ ରାଜ୍ୟ ସରକାରଙ୍କ ସହିତ ଉତ୍ତମ ସହଯୋଗ ଓ ପ୍ଲାନିଂ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ସମୀକ୍ଷା ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ମେ’ ୨୬ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିବଳୟ ‘ୟାସ୍’ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ ତଥା ପବନର ବେଗ ୧୫୫-୧୬୫ କିଲୋମିଟର ବେଗରେ ଏବଂ ସର୍ବାଧିକ ୧୮୫ କିଲୋମିଟର ବେଗରେ ଗତି କରିବ ବୋଲି ସୂଚନା ଦିଆଯାଇଥିଲା। ପାଣିପାଗ ବିଭାଗ ଦ୍ୱରା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷାର ସମ୍ଭାବନା, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସମୁଦ୍ର କୂଳିଆ ଅଞ୍ଚଳରେ ପ୍ରାୟ ୪ ମିଟର ଉଚ୍ଚରେ ଢେଉ ଉଠିବାର ଚେତାବନୀ ଜାରି କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଆଇଏମ୍‌ଡି ପକ୍ଷରୁ ସମ୍ପୃକ୍ତ ରାଜ୍ୟମାନଙ୍କୁ ପୁର୍ବାନୁମାନର ନିୟମିତ ବୁଲେଟିନ ଜାରି କରାଯାଉଥିବା ମଧ୍ୟ କୁହାଯାଇଥିଲା।

ଗୃହ ବ୍ୟାପାର ମନ୍ତ୍ରାଳୟ ଲଗାତାର ପରିସ୍ଥିତିର ସମୀକ୍ଷା କରୁଛି ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ଏଜେନ୍‌ସିମାନଙ୍କ ସହିତ ଯୋଗାଯୋଗରେ ଥିବାର ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ମନ୍ତ୍ରାଳୟ ଦ୍ୱାରା ସମସ୍ତ ରାଜ୍ୟକୁ ଆଗୁଆ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ପ୍ରଥମ କିସ୍ତି ଜାରି କରାଯାଇଥିବା ନେଇ ଅଧିକାରୀମାନେ ଜଣାଇଥିଲେ। ସେହିଭଳଇ ନୌକା, ଗଛକଟାଳି, ଟେଲିକମ୍ ଉପକରଣ ଆଦି ସହ ଏନ୍‌ଡିଆରଏଫ୍ ୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଆଗୁଆ ୪୫ଟି ଟିମ୍ ମୁତୟନ କରିଥିବା କୁହାଯାଇଥିଲା। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା ଜାହାଜ ତଥା ହେଲିକପ୍‌ଟର ପ୍ରସ୍ତୁତ ରହିଛନ୍ତି। ବିପର୍ଯ୍ୟୟ ପ୍ରଶମନ ୟୁନିଟ୍ ସହିତ ୭ଟି ଜାହାଜ ପଶ୍ଚିମ ଉପକୂଳରେ ଅପେକ୍ଷାରେ ଅଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ, ଗୃହ ବିଭାଗ, ଟେଲି ଯୋଗାଯୋଗ, ମତ୍ସ୍ୟ ବିଭାଗ, ବେସାମରିକ ବିମାନ ଚଳାଚଳ, ଶକ୍ତି, ବନ୍ଦର, ପରିବହନ ଏବଂ ଜଳପଥ, ଏନ୍‌ଡିଆମ୍‌ଏର ସଦସ୍ୟ ସଚିବ, ଆଇଏମ୍‌ଡି ଓ ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକଙ୍କ ସମେତ ପିଏମ୍‌ଓ ଏବଂ ଗୃହମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର