ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ମହାମାରୀର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତୃତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ଆଜି ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ମୁହାଁ ହୋଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଡିଜିଟାଲ ମୋଡ୍‌ରେ ସମୀକ୍ଷା କରିଛନ୍ତି। ବୈଠକରେ ମୋଦି ପ୍ରଥମେ ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ। ଏହାପରେ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଦ୍ରୁତ ଟିକାକରଣ ଓ ସ୍ଥାନୀୟ କଣ୍ଟେନମେଣ୍ଟ ଉପରେ ରାଜ୍ୟଗୁଡ଼ିକ ଫୋକସ କରିବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିକା ହେଉଛି କରୋନା ଭାଇରସ ବିରୋଧରେ ଲଢ଼େଇ କରିବାର ସବୁଠାରୁ ବଡ଼ ଅସ୍ତ୍ର। ଓମିକ୍ରନ ବିଶ୍ୱର ବିଭିନ୍ନ ପ୍ରାନ୍ତ ସହ ଭାରତରେ ମଧ୍ୟ ବ୍ୟାପୁଛି। ଆମେ ଏହି ଭାରିଆଣ୍ଟ ସହ ଲଢ଼େଇ କରିବା ବେଳେ ଭବିଷ୍ୟତରେ ଆସିବାକୁ ଥିବା ଷ୍ଟ୍ରେନ ପ୍ରତି ମଧ୍ୟ ସତର୍କ ରହିବା ଉଚିତ। ଟିକାକରଣ କାର୍ଯ୍ୟକ୍ରମକୁ ଯଥାଶୀଘ୍ର ଶେଷ କରିବାକୁ ହେବ।

କୋଭିଡ ରଣନୀତି ପ୍ରସ୍ତୁତ କରିବା ବେଳେ ଦେଶର ଅର୍ଥନୀତି ଓ ସାଧାରଣ ଲୋକଙ୍କ ଜୀବିକାକୁ ନଜରରେ ରଖିବାକୁ ହେବ। ସବୁ ରାଜ୍ୟ ସ୍ଥାନୀୟ କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦିଅନ୍ତୁ। ଆମକୁ ସତର୍କ ରହିବାକୁ ହେବ। କିନ୍ତୁ ଆତଙ୍କିତ ହେବାନି। କରୋନା ସହ ଲଢ଼େଇ କରିବା ପାଇଁ ୨ ବର୍ଷର ଅଭିଜ୍ଞତା ଆମ ପାଖରେ ରହିଛି। ଏବେ କରୋନାରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ଲୋକ ସଂଗରୋଧରେ ରହୁଛନ୍ତି। ସେମାନେ ଯେମିତି ସମସ୍ତ ଗାଇଡଲାଇନ ମାନିବେ, ତା’ ଉପରେ ଦୃଷ୍ଟି ଦେବା ଦରକାର ବୋଲି ମୋଦୀ କହିଛନ୍ତି। ପୂର୍ବ ଭାରିଆଣ୍ଟ ତୁଳନାରେ ଓମିକ୍ରନ ଅତି ଦ୍ରୁତଗତିରେ ବ୍ୟାପୁଛି। ତେଣୁ ଆମ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାକୁ ହେବ। ପାର୍ବଣରେ ଆମେ ଆଦୌ ବେପରୁଆ ହେବାନି। ରାଜ୍ୟଗୁଡ଼ିକ ମେଡିକାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ମୋଦୀ କହିଛନ୍ତି। ଏଥିସହ ମୋଦୀ ସମସ୍ତଙ୍କୁ ପାରମ୍ପରିକ କାଢ଼ା ପିଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଜିର ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର