ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦେଶର କରୋନା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ରାଜ୍ୟମାନଙ୍କୁ ସଂକ୍ରମଣ ରୋକିବାକୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିନୋମ ସିକ୍ବେନ୍ସିଂ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଚୀନ୍ରେ ଭୟାବହ ସଂକ୍ରମଣର ଲହର ଆଣିଥିବା ଓମିକ୍ରନ୍ ପ୍ରଜାତି ବିଏଫ୍.୭ ଭାରତରେ ମଧ୍ୟ ଠାବ ହୋଇଥିବାରୁ ଏହି ଭୂତାଣୁଜନିତ ସଂକ୍ରମଣ ସ୍ଥିତି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ନିତି ଆୟୋଗ ସିଇଓ ପରମେଶ୍ବରନ ଆୟାର ଏବଂ ଅନ୍ୟ ଉଚ୍ଚ ଅଧିକାରୀମାନେ ସାମିଲ ହୋଇଥିଲେ। ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉତ୍ସବ ସମୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବା ଉପରେ ଯଥୋଚିତ ଗୁରୁତ୍ବ ଦେବା ସହ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟମାନଙ୍କୁ ନୂଆ ନିର୍ଦ୍ଦେଶନାମା ଜାରି କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
କେନ୍ଦ୍ର ସରକାର କରୋନାର ନୂଆ ପ୍ରଜାତି ଦ୍ବାରା ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ନେଇ କେତେକ ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶର ସମସ୍ତ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ନମୁନା ଯାଞ୍ଚ ହେବ। ଭାରତରେ ଏବେ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବାରୁ ଜନସାଧାରଣ ଏନେଇ ଭୟଭୀତ ହେବାର କୌଣସି କାରଣ ନାହିଁ, କେବଳ ସତର୍କତା ଅବଲମ୍ବନ ଜରୁରୀ ବୋଲି କୁହାଯାଇଛି।