ତିନି ଜିଲ୍ଲାପାଳଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ସଂକ୍ରମଣ ରୋକିବାକୁ ନୂଆ ରଣନୀତି ବାହାର କର

ନୂଆଦିଲ୍ଲୀ : କରୋନା ମହାମାରୀ ସ୍ଥିତି ବେକାବୁ ପରେ ଏହାର ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତନାଘନା ଆରମ୍ଭ କରିଛନ୍ତି। ଦେଶର ୧୦ଟି ରାଜ୍ୟର ଅଧିକ କରୋନା ସଂକ୍ରମିତ ୫୪ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଗୁରୁବାର ପ୍ରଧାନମନ୍ତ୍ରୀ ନିଜେ କଥା ହୋଇଛନ୍ତି। ଏହି କ୍ରମରେ ଓଡ଼ିଶାର ଖୋର୍ଧା, କଟକ ଓ ସୁନ୍ଦରଗଡ଼ର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥା ହୋଇଥିବା ଜଣାପଡ଼ିଛି। ବୈଠକରେ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କ୍ଷେତ୍ର ଉପରେ କାର୍ଯ୍ୟ, ଅନୁଭୂତି ଏବଂ ଅନୁଭବ ସଂପର୍କରେ ଆଲୋଚନା କରିଥିଲେ ଏବଂ ଏହା ହିଁ ସଫଳ ନୀତି ନିର୍ଧାରଣ କରିବାରେ ସହାୟକ ହେବ ବୋଲି ପରାମର୍ଶ ଦେଇଥିଲେ।

ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ ଯେ କୋଭିଡ୍-୧୯ ଟିକା ଏବେ ପର୍ଯ୍ୟାପ୍ତ ପରିମାଣରେ ମିଳିପାରିନାହିଁ। ଏଣୁ କୌଣସି ପରିସ୍ଥିତିରେ ବି ଏହା ଯେଭଳି ନଷ୍ଟ ନ ହୁଏ, ସେଥିପ୍ରତି ଜିଲ୍ଲାପାଳମାନେ ଧ୍ୟାନ ଦେବା ଦରକାର। ସେହିଭଳି କୋଭିଡ୍-୧୯ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ତଥ୍ୟାବଳୀ ସଂଗ୍ରହପାଇଁ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସଂକ୍ରମଣ ରୋକିବାକୁ ହେଲେ ନୂଆ ରଣନୀତି ଓ ସମାଧାନ ପନ୍ଥା ବାହାର କରିବାକୁ ପଡ଼ିବ। ମହାମାରୀ ସମୟରେ ଲୋକ ସ୍ବାଭାବିକ ଭାବେ ଜିଲ୍ଲାପାଳମାନଙ୍କ ଠାରୁ ଅଧିକ ସେବା ଚାହୁଁଛନ୍ତି ଏବଂ ଏହି ସମୟରେ ଜିଲ୍ଲାପାଳମାନଙ୍କର ସେବା ଅଧିକ ଆହ୍ବାନ ପୂର୍ଣ୍ଣ। ଏହାକୁ ସେମାନେ ଧ୍ୟାନରେ ରଖିବା ଦରକାର। ବୈଠକରେ ଯୋଗ ଦେଇଥିବା ଜିଲ୍ଲାପାଳମାନେ ସେମାନଙ୍କର ଜିଲ୍ଲାରେ କୋଭିଡ ସ୍ଥିତି, କୋଭିଡକୁ ନିୟନ୍ତ୍ରଣ କରିବାରେ ସେମାନଙ୍କର ଅନୁଭବ ତଥା ଲୋକଙ୍କ ଭାଗିଦାରୀ ସଂପର୍କରେ ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ଜିଲ୍ଲାମାନଙ୍କରେ ଲୋକ ସଚେତନତା ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର