ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ ଏବଂ ନିର୍ବାଚନ ଫଳ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଇଣ୍ଡି ମେଣ୍ଟ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିବ। କଂଗ୍ରେସ ନେତା ଜୟରାମ ରମେଶ ଆଜି ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ରମେଶ କହିଛନ୍ତି, ଇଣ୍ଡି ମେଣ୍ଟରେ ଯେଉଁ ଦଳ ସବୁଠାରୁ ଅଧିକ ଆସନ ପାଇବ ସେହି ଦଳ ହିଁ ଏହାର ନେତୃତ୍ବ ନେବାପାଇଁ ସ୍ବାଭାବିକ ଦାବିଦାର ହେବ। ସେ କହିଛନ୍ତି, ସରକାର ଗଠନ ପାଇଁ ଲୋକସଭାରେ ଆବଶ୍ୟକ ଥିବା ସଂଖ୍ୟା ୨୭୨ଠାରୁ ଇଣ୍ଡି ମେଣ୍ଟ ଆହୁରି ଅଧିକ ଆସନ ପାଇବ। ଇଣ୍ଡି ମେଣ୍ଟକୁ ଆବଶ୍ୟକ ଜନମତ ମିଳିବାପରେ ଏନଡିଏର କିଛି ମେଣ୍ଟ ସହଯୋଗୀ ମଧ୍ୟ ଏଥିରେ ଯୋଗ ଦେବାକୁ ଚାହିବେ। ତେବେ ସେମାନଙ୍କୁ ମେଣ୍ଟରେ ସାମିଲ କରାଯିବ କି ନା’ ସେଦିଗ‌ରେ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେ‌ବେ। ଖଡ଼ଗେଜୀ, ରାହୁଲଜୀ ଏବଂ ସୋନିଆଜୀ ଇଣ୍ଡି ମେଣ୍ଟରେ ଏହି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Advertisment

ରମେଶଙ୍କ ଅନୁଯାୟୀ ଇଣ୍ଡି ମେଣ୍ଟ ଏବଂ ଏନଡିଏ ମଧ୍ୟରେ ତଫାତ୍‌ ହେଉଛି ୨ଟି ‘ଆଇ’। ଗୋଟିଏ ଆଇ ହେଉଛି ଇମାନଦାରୀ (ସଚ୍ଚୋଟତା) ଏବଂ ଆରଟି ‘ଇନସାନିୟତ’ (ମାନବିକତା)। ଏନଡିଏରେ ଥିବା ଯେଉଁ ଦଳ ନିକଟରେ ଉଭୟ ସଚ୍ଚୋଟତା ଏବଂ ମାନବିକତା ଥିବ ସେମାନେ ଇଣ୍ଡି ମେଣ୍ଟରେ ଯୋଗ ଦେଇପାରିବେ। ରମେଶ କହିଛନ୍ତି, ଇଣ୍ଡି ମେଣ୍ଟ ଜିତିବାପରେ ପ୍ରତିଶୋଧମୂଳକ ରାଜନୀତି ହେବନାହିଁ। କଂଗ୍ରେସ ରାଜସ୍ଥାନ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଅତି ଚମତ୍କାର ଫଳ ପାଇବ ବୋଲି ରମେଶ କହିଛନ୍ତି। ସେହିପରି ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଆସାମରେ କଂଗ୍ରେସର ସ୍ଥିତି ସୁଦୃଢ଼ ହେବ। ପୁଣିଥରେ ୨୦୦୪ ଭଳି ସ୍ଥିତି ଆସିବ ବୋଲି ରମେଶ କହିଛନ୍ତି। ଉତ୍ତରପ୍ରଦେଶରେ ମଧ୍ୟ ବିଜେପି ୨୦୧୯ ମସିହାରେ ହାସଲ କରିଥିବା ୬୨ଆସନ , ବିହାରରେ ୩୯ ଏବଂ ଉତ୍ତରପ୍ରଦେଶରେ ୧୮ ଆସନ ଏଥର ପାଇବନି। ଏହା ଅସମ୍ଭବ ବୋଲି ରମେଶ କହିଛନ୍ତି।