ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ମାରକୀକୁ ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରତିମୂର୍ତି ଅନାବରଣ ସହିତ ଦୀନ ଦୟାଲ ଉପାଧ୍ୟାୟ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଫେବୃଆରି ୧୬ ତାରିଖରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନକାଳ ଦର୍ଶାଉଥିବା ଖୋଦେଇ କଳାକୃତି ରହିଛି । ପାଖାପାଖି ୩୦ ଜଣ ଓଡ଼ିଆ କାରିଗର ଓ ଶିଳ୍ପୀ ୧ ବର୍ଷ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି କାର୍ଯ୍ୟ କରିଛନ୍ତି । ମୋଦୀ ମଧ୍ୟ ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚତା ବିଶିଷ୍ଟ ଲୌହ ପ୍ରତିମାର ଅନାବରଣ କରିବେ । ଏହା ହେବ ପଣ୍ଡିତ ଦୀନଦୟାଲଙ୍କର ଦେଶରେ ସର୍ବୋଚ୍ଚ ପ୍ରତିମୂର୍ତି । ଗତ ଏକ ବର୍ଷ ଧରି ୨୦୦ରୁ ଅଧିକ କାରିଗର ଦିନରାତି କାମ କରିବା ପରେ ଏହି ପ୍ରତିମୂର୍ତି ନିର୍ମାଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀଜଗଦଗୁରୁ ବିଶ୍ୱଆରାଧ୍ୟ ଗୁରୁକୁଳର ଶତବାର୍ଷିକୀ ସମାରୋହର ଉଦଯାପନୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସେ ମଧ୍ୟ ସିଦ୍ଧାନ୍ତ ଶିଖାମଣି ଗ୍ରନ୍ଥର ଅନୁବାଦ ସଂସ୍କରଣକୁ ୧୯ଟି ଭାଷାରେ ଉନ୍ମୋଚନ କରିବେ । ଗୁରୁକୁଳର ମୁଖ୍ୟ ଡ. ଚନ୍ଦ୍ରଶେଖର ଶିବାଚାର୍ଯ୍ୟ ମହାସ୍ୱାମୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗ୍ରନ୍ଥର ମୋବାଇଲ ଆପକୁ ମଧ୍ୟ ଉନ୍ମୋଚନ କରିବେ ।

India TV

ଏହାପରେ ଆୟୋଜିତ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ୩୦ଟି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏଥିମଧ୍ୟରେ ରହିଛି କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ଠାରେ ୪୩୦ ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେଶାଲିଟି ସରକାରୀ ଡାକ୍ତରଖାନା ଓ ୭୪ ଶଯ୍ୟା ବିଶିଷ୍ଟ ଏକ ମାନସିକ ରୋଗ ଚିକିତ୍ସାଳୟ ।

ପ୍ରଧାନମନ୍ତ୍ରୀ ମଧ୍ୟ ଭିଡିଓ ଲିଙ୍କ ଜରିଆରେ ଆଇଆରସିଟିସିର ମହାକାଳ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିବେ । ଏହି ଟ୍ରେନ ତିନୋଟି ଜ୍ୟୋତିର୍ଲିଙ୍ଗ ପର୍ଯ୍ୟଟନ ସ୍ଥଳୀ- ବାରାଣସୀ, ଉଜ୍ଜୈନ ଏବଂ ଓମକାରେଶ୍ୱରକୁ ଯୋଡ଼ିବ । ଏହାହେବ ଦେଶର ପ୍ରଥମ ଓଭରନାଇଟ ଘରୋଇ ଟ୍ରେନ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ତକଳା ସଙ୍କୁଳ ଠାରେ ‘କାଶୀ ଏକ ରୂପ ଅନେକ’ର ଦୁଇ ଦିନିଆ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଆମେରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆଦି ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା କ୍ରେତା ଓ ଶିଳ୍ପୀଙ୍କ ସହିତ ପ୍ରଧାନମନ୍ତ୍ରୀ ବାର୍ତାଳାପ କରିବେ । ‘କାଶୀ ଏକ ରୂପ ଅନେକ’ ପ୍ରଦର୍ଶନୀରେ ସମଗ୍ର ଉତ୍ତର ପ୍ରଦେଶର ୧୦୦ ଜଣ ହସ୍ତଶିଳ୍ପୀ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିବେ । ହସ୍ତଶିଳ୍ପୀମାନଙ୍କୁ ସେମାନଙ୍କ ଉତ୍ପାଦର ମାନବୃଦ୍ଧି ଏବଂ ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ପାଇଁ ଉପଯୋଗୀ କରିବା ଲାଗି କୌଶଳ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

ସମ୍ବନ୍ଧିତ ଖବର