ଆସନ୍ତା ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୦ ତାରିଖରେ ନୂତନ ସଂସଦଗୃହର ଶିଳାନ୍ୟାସ ଓ  ଭୂମିପୂଜନ କରିବେ । ଏହି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଶନିବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ ହେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ଶ୍ରୀ ବିର୍ଲା ।

ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ନିର୍ମାଣ କରିବାର ଠିକା ଟାଟା ପ୍ରୋଜେକ୍ଟ ଲିମିଟେଡକୁ ମିଳିଛି । ପାଖାପାଖି ୯୬୧.୯୦ କୋଟି ଟଙ୍କା ବିନିଯୋଗରେ ଏହି ଭବନର ନିର୍ମାଣ କରାଯିବ। ନୂତନ ଭବନ ବର୍ତମାନର ସଂସଦଭବନ ପାଖାପାଖି ଅଞ୍ଚଳରେ ନିର୍ମାଣ କରାଯିବ । ନିର୍ମାଣ ଲାଗି ଆନୁମାନିକ ୨୧ ମାସ ଲାଗିବ ବୋଲି ନିର୍ମାଣକାରୀ ସଂସ୍ଥା ଟାଟା ପ୍ରୋଜେକ୍ଟ ପକ୍ଷରୁ କୁହାଯାଇଛି। ନୂତନ ସଂସଦ ଭବନ ନିର୍ମାଣ ସରିବା ପରେ ଏଥିରେ ଏକ ସମୟରେ ୧୩୫୦ ଜଣ ସାଂସଦ ବସିପାରିବେ ବୋଲି କୁହାଯାଇଛି ।

ସୂଚନା ମୁତାବକ ଏହି ନୂତନ ସଂସଦଗୃହର ଆକାର ୬୫ ହଜାର ବର୍ଗମିଟର ହେବ ଓ ଏହାମଧ୍ୟରେ ୧୬୯୨୧ ବର୍ଗମିଟର ଅଞ୍ଚଳ ଭୂତଳରେ ରହିବ । ଏହାସହ ଅନ୍ୟ ଅଟ୍ଟାଳିକା ଭଳି ଏହାର ୪ କୋଣ ପରିବର୍ତ୍ତେ ୩ଟି କୋଣ ରହିବ। ଅର୍ଥାତ ଏହାର ଆକାର ତ୍ରିକୋଣୀୟ ହେବ । ଏହି ଅଟ୍ଟାଳିକା ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଜାତୀୟ ପତାକାରେ ଥିବା ୩ଟି ରଙ୍ଗ ପ୍ରସ୍ପୁଟିତ ହେବ । ନୂତନ ସଂସଦଗୃହ ମଧ୍ୟରେ ସାଂସଦମାନେ ବସିବାକୁ ବେଶ୍ ଆରାମ ଦାୟକ ବ୍ୟବସ୍ଥା କରାଯିବ । ଯେମିତି କି ଗୋଟିଏ ବେଞ୍ଚର ଲମ୍ବ ଅତିକମରେ ୨ ମିଟର ହେବ। ହେଲେ ଏବେ ପ୍ରସ୍ତାବିତ କୋଠାର କିଛି ଅଦଳ ବଦଳ ହୋଇପାରେ ବୋଲି ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର