ହାଇବ୍ରିଡ୍‌ ୱାର୍‌ଫେର୍‌ ନେଇ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ

ନୂଆ ଯୁଦ୍ଧ କୌଶଳ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ନୌସେରା ସେକ୍ଟରରେ ସେନାର ୮୦ ବ୍ରିଗେଡ୍‌ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପାଳନ କରିବା ସହ ଯବାନଙ୍କୁ ଚୀନ୍‌ ପଟୁ ଆସିବାକୁ ଥିବା ଏକ ବିପଦ ନେଇ ସତର୍କ କରାଇ ଦେଇଛନ୍ତି। ଚୀନ୍‌ର ହାଇବ୍ରିଡ୍‌ ୱାର୍‌ଫେର (ଅତ୍ୟାଧୁନିକ ରଣକୌଶଳ)ର ମୁକାବିଲା ପାଇଁ ଭାରତୀୟ ସେନା ସତର୍କ ରହିବା ସହ ନୂଆ ଯୁଦ୍ଧକୌଶଳ ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ଆମେ ଯୁଦ୍ଧର ନୂଆ କୌଶଳକୁ ବୁଝି ସେହି ଆଧାରରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ବୋଲି ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଭାରତୀୟ ସେନାର ପ୍ରସ୍ତୁତି ମଧ୍ୟ ଅତ୍ୟନ୍ତ ଉଚ୍ଚ ମାନର ହେବା ଆବଶ୍ୟକ।

ସୂଚନାଯୋଗ୍ୟ, ନିକଟରେ ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଏଲ୍‌ଏସିରେ ୧୯୫୭ କିମି ଲମ୍ବ ସୀମାରେ ଚୀନ୍‌ ଅପ୍ଟିକାଲ ଫାଇବର ବିଛାଉଥିବା ନେଇ ତଥ୍ୟ ରଖିଥିଲେ। ଏବେ ପେଣ୍ଟାଗନ (ଆମେରିକାର ପ୍ରତିରକ୍ଷା ସଂସ୍ଥାନ)ର ଏକ ରିପୋର୍ଟରେ ମଧ୍ୟ ଏ ବାବଦରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି। ଅପ୍ଟିକାଲ ଫାଇବର ସହାୟତାରେ ବୋର୍ଡର ଅଂଚଳରେ ଚୀନ୍‌ର ଶକ୍ତି ବଢ଼ିବ। ଖୁବ୍‌ କମ୍‌ ସମୟ ମଧ୍ୟରେ ଚୀନ୍‌ ନିଜ ସୈନିକଙ୍କ ମୁତୟନ ବଢ଼ାଇବା ସହ ଅସ୍ତ୍ର ଯୋଗାଣ ମଧ୍ୟ ସୁବିଧାରେ କରିପାରିବ। ଚୀନ୍‌ ଅତ୍ୟାଧୁନିକ ହାଇବ୍ରିଡ୍‌ ରଣକୌଶଳର ପ୍ରୟୋଗ ପାଇଁ ଏଭଳି ଯୋଜନା କରୁଥିବା ବାବଦରେ ପେଣ୍ଟାଗନ ରିପୋର୍ଟ ପ୍ରକାଶ କରିଛି। ଚୀନ୍‌ ଏଲ୍‌ଏସିରେ ଲଗାତାର ସକ୍ରିୟ ରହିବା ସହ ଭାରତ ବିରୋଧରେ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପ ଜାରି ରଖିଥିବାରୁ ପ୍ରଧାନମନ୍ତ୍ରୀ ନୌସେରା ଗସ୍ତ ସମୟରେ ଏ ବାବଦରେ ଯବାନଙ୍କ ସହ ଆଲୋଚନା କରିଛନ୍ତି। ଚୀନ୍‌ ସୀମାରେ ସମସ୍ତ ସମ୍ବେଦନଶୀଳ ଅଂଚଳରେ ଭାରତ ସେନା ମୁତୟନ ବଢ଼ାଇଛି ଏବଂ ଅହରହ ନଜର ରଖିଛି।

ସମ୍ବନ୍ଧିତ ଖବର