ସିମଲାଠାରେ ମେ ୩୧ରେ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶସ୍ବରୂପ ଭାରତ ସରକାରଙ୍କ ନଅଟି ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗର ପ୍ରାୟ ୧୬ଟି ଯୋଜନା ଓ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହିତ ମତ ବିନିମୟ କରିବେ। ‘ଗରିବ କଲ୍ୟାଣ ସମ୍ମେଳନ’ ନାମକ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ସିମଲାଠାରେ ଅନୁଷ୍ଠିତ ହେବ। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଥିବା ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧିର ୧୧ଶ କିସ୍ତି ଆକାରରେ ୨୧ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ଜାରି କରିବେ। ରାଜ୍ୟ ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କେଭିକେ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ସମାନ୍ତରାଳ ଭାବେ ଆୟୋଜନ କରାଯିବ। ଏହି ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ହିତାଧିକାରୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ।

ଏହି ପରିପ୍ରେକ୍ଷୀରେ କଟକର ମାହାଙ୍ଗାଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ସହ ମତବିନିମୟ କରିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସିମଲାଠାରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେହିପରି ବାରିପଦାଠାରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।

ଦେଶବ୍ୟାପୀ ଏସବୁ ଯୋଜନାର କୋଟି କୋଟି ହିତାଧିକାରୀ ରହିଛନ୍ତି। ଦେଶର ଜନସଂଖ୍ୟାର ସବୁଠୁ ଗରିବ ବର୍ଗଙ୍କ ସବୁ ଜଟିଳ ସମସ୍ୟାର ସମାଧାନ ଦିଗରେ ଏହି ଯୋଜନା ଓ କାର୍ଯ୍ୟକ୍ରମ ସବୁ ସହାୟକ ହେଉଛି। ଆବାସ, ପାନୀୟ ଜଳ ଉପଲବ୍ଧତା, ଖାଦ୍ୟ, ସ୍ବାସ୍ଥ୍ୟସେବା ଓ ପୋଷଣ, ଜୀବନଜୀବିକା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆଦି କ୍ଷେତ୍ରରେ ଗରିବମାନଙ୍କୁ ସହାୟତା ମିଳୁଛି। ଏହି ମତବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏସବୁ ଯୋଜନାରେ ସମନ୍ବୟର ସମ୍ଭାବନା ଉଜାଗର ହୋଇପାରିବ ଏବଂ ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ ଦିଗରେ ସହାୟତା ମିଳିବ। ଏଥିସହିତ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନାଗରିକଙ୍କ ଆଶା-ଆକାଂକ୍ଷା ଜାଣିବା ଲାଗି ଏପରି କାର୍ଯ୍ୟକ୍ରମ ଏକ ସୁଯୋଗ ଆଣି ଦେବ। ଏହି ସମ୍ମେଳନକୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଏକକ ଦେଶବ୍ୟାପୀ ମତବିନିମୟ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଛି, ଯାହାକି ଦେଶର ସବୁ ଜିଲ୍ଲାରେ ଆୟୋଜନ କରାଯିବ। ଏଥିରେ ହିତାଧିକାରୀଙ୍କ ଜୀବନରେ ଏସବୁ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଆଲୋଚନା କରିବେ।

କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ, ରାଜ୍ୟ/ଜିଲ୍ଲା/କେଭିକେ କାର୍ଯ୍ୟକ୍ରମ ପୂର୍ବାହ୍ନ ୯.୪୫ରେ ଆରମ୍ଭ ହେବ। ପୂର୍ବାହ୍ନ ୧୧ଟାରେ ଏସବୁ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହ ଯୋଡ଼ାଯିବ। ଦୂରଦର୍ଶନ ଏବଂ ଏହାର ଜାତୀୟ ଓ ଆଞ୍ଚଳିକ ଚ୍ୟାନେଲ ମାଧ୍ୟମରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ। ମାଇ ଗଭ୍‌ ଜରିଆରେ ଜାତୀୟ କାର୍ଯ୍ୟକ୍ରମର ୱେବ୍‌କାଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଲୋକମାନେ ଆଗୁଆ ନିଜର ପଞ୍ଜୀକରଣ କରାଇବେ। ଅନ୍ୟ ସୋସିଆଲ ମିଡିଆ ଚ୍ୟାନେଲ ଯଥା ୟୁଟ୍ୟୁବ୍, ଫେସବୁକ, ଟ୍ବିଟର, ଇନଷ୍ଟାଗ୍ରାମ୍‌ ଆଦିରେ ଏହାକୁ ଦେଖିହେବ।

ସମ୍ବନ୍ଧିତ ଖବର