ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନର ଇଣ୍ଟରାକ୍ଟିଭ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ । ଗାନ୍ଧୀଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଅବସରରେ ଗତବର୍ଷ ଏପ୍ରିଲ୍ ୧୦ରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର (ଆରଏସକେ) ସ୍ଥାପନ କରିବାକୁ ଘୋଷଣା କରିଥିଲେ ।
ବିଶ୍ୱର ସବୁଠାରୁ ବଡ଼ ବ୍ୟବହାର ପରିବର୍ତ୍ତନ ଅଭିଯାନ ସ୍ୱଚ୍ଛ ଭାରତ ମିଶନର ସଫଳ ଯାତ୍ରା ସମ୍ପର୍କରେ ଭବିଷ୍ୟତ ପିଢିଙ୍କୁ ଅବଗତ କରାଇବା ଆରଏସକେ ସ୍ଥାପନର ଲକ୍ଷ୍ୟ । ଆରଏସକେରେ ଡିଜିଟାଲ ଓ ଆଉଟଡୋର ଇନଷ୍ଟାଲେସନ ଉଭୟରୁ ସ୍ୱଚ୍ଛତା ଓ ଅନ୍ୟାନ୍ୟ ଦୃଷ୍ଟିକୋଣ ସମ୍ପର୍କିତ ସୂଚନା, ସଚେତନତା ଓ ତଥ୍ୟ ମିଳିପାରିବ । ବିଭିନ୍ନ ପ୍ରକ୍ରିୟା ଓ ଗତିବିଧିର ଜଟିଳ ପାରସ୍ପରିକ ପ୍ରଭାବକୁ ସମ୍ବାଦାତ୍ମକ ରୂପରେ ବୁଝାଇ ଦିଆଯିବ ଏବଂ ସର୍ବୋତମ ପ୍ରଥା, ବୈଶ୍ବିକ ମାନଦଣ୍ଡ, ସଫଳତା କାହାଣୀ ଓ ବିଷୟଗତ ବାର୍ତ୍ତା ମଧ୍ୟ ପ୍ରସ୍ତୁତ କରାଯିବ। ଏହି ଅବସରରେ ଆଗନ୍ତୁକମାନେ ଏକ ନିଆରା ୩୬୦ ଡିଗ୍ରୀ ଅଡିଓ ଭିଜୁଆଲ କାର୍ଯ୍ୟକ୍ରମ ଦେଖିପାରିବେ । ଏହା ଭାରତର ସ୍ୱଚ୍ଛତା କାହାଣୀ - ବିଶ୍ୱ ଇତିହାସରେ ସବୁଠାରୁ ବଡ଼ ବ୍ୟବହାର ପରିବର୍ତ୍ତନ ଅଭିଯାନ ସମ୍ପର୍କରେ ଜାଣିପାରିବେ । ବାପୁଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଜଣାଇବା ପାଇଁ ହଲ ନମ୍ବର ୨ରେ ସମ୍ବାଦାତ୍ମକ ଏଲଇଡି ପ୍ୟାନେଲ, ହୋଲୋଗ୍ରାମ ବକ୍ସ, ଇଣ୍ଟରାକ୍ଟିଭ ଗେମ ଆଦି ରହିବ । ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ପର୍ଯ୍ୟନ୍ତ ଭାରତର ଯାତ୍ରାକୁ ପ୍ରଦର୍ଶିତ କରିବା ପାଇଁ ‘ଆରଏସକେ’ ନିକଟରେ ଥିବା ଲନରେ ଖୋଲା ଆକାଶ ତଳେ ତିନିଟି ପ୍ରଦର୍ଶନ ହେବ । କେନ୍ଦ୍ର ଚାରିପଟେ ଥିବା ପ୍ରାଚୀରରେ ମିଶନ ସଫଳତାର ମୁଖ୍ୟ ସୋପାନଗୁଡିକ ଚିତ୍ରିତ ହେବ ।
‘ଆରଏସକେ’ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ରର ଆମ୍ପିଥିଏଟରରେ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା ୩୬ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସାମାଜିକ ଦୂରତ୍ୱ ପ୍ରୋଟୋକଲ ପାଳନ କରାଯିବ । ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ବୋଧନ କରିବେ ।