‘ଜନକଲ୍ୟାଣ ସମାବେଶ’ରେ ବିଳମ୍ବରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ, ଡେରିରେ ଛାଡ଼ିବେ ଦିଲ୍ଲୀ

କଟକ : ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ବିକାଶ ସଂପର୍କରେ ଅବଗତ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଟକ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ‘ଜନକଲ୍ୟାଣ ସମାବେଶ’ରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପହଞ୍ଚିବାରେ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ସେ ଦେଢ଼ରୁ ଦୁଇ ଘଣ୍ଟା ବିଳମ୍ବରେ ସଭାସ୍ଥଳରେ ପହଞ୍ଚିବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ନୁଆଦିଲ୍ଲୀ ଛାଡ଼ିବାରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୪ଟାରେ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବର୍ତ୍ତମାନ ସେ ସାଢ଼େ୫ଟାରୁ ୬ଟା ମଧ୍ୟରେ ପହଞ୍ଚିବେ ବୋଲି ଆକଳନ କାଯୋଉଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ଦୃଷ୍ଟିରୁ ସଭାସ୍ଥଳକୁ ପାଣି ବୋତଲ, ହ୍ୟାଣ୍ଡ ବ୍ୟାଗ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ସଭାସ୍ଥଳ ଭିତରେ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ସଭାସ୍ଥଳକୁ ଯିବା ପାଇଁ ୧୨ଟି ପ୍ରବେଶ ପଥ କରାଯାଇଛି। ପ୍ରତ୍ୟେକ ପ୍ରବେଶ ପଥରେ ସିସି କ୍ୟାମେରା ଖଞ୍ଜା ଯାଇଛି। ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ପୁଲିସ ବିଭାଗ ପକ୍ଷରୁ ୪ଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। କଣ୍ଟୋଲ୍ରୁମ୍ରୁ କ୍ୟାମେରା ସଭାମଞ୍ଚ ଉପରେ ତୀକ୍ଷ୍ଣ ନଜର ରଖାଯିବ।

ଶନିବାର କମିସନରେଟ୍ ପୁଲିସ ପକ୍ଷରୁ ବାରବାଟି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ସମୀକ୍ଷା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାରେ ୬୧ ପ୍ଲାଟୁନ୍ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୦ ପ୍ଲାଟୁନ୍ ଫୋର୍ସ ପ୍ରସ୍ତୁତ କରି ରଖାଯାଇଛି। ଏହା ବାଦ୍ ୫ଟି ସ୍ପେଶାଲ ଟାକ୍ଟିକାଲ୍ ଟିମ୍, ୫ଟି ବୋମା ନିଷ୍କ୍ରିୟକାରୀ ଟିମ୍, ୫ଟି ସ୍ପେଶାଲ ଆକ୍ସନ୍ ଫୋର୍ସ, ୨ଟି ଓଡ୍ରାଫ୍ ଟିମ୍, ୫ଟି ସ୍ପେଶାଲ ଆକ୍ସନ ଫୋର୍ସଙ୍କୁ ଆସନ୍ତାକାଲି ପାଇଁ ନିଯୁକ୍ତ କରାଯାଇଛି। ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ୩ ଜଣ ଆଇପିଏସ୍ ଏବଂ ୪ ଜଣ କମାଣ୍ଡାଣ୍ଟ ଦାୟିତ୍ୱରେ ରହିବେ।

ସଭାସ୍ଥଳ ଚାରିପଟେ ତ୍ରିସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୋଟ ୧୨ଟି ପ୍ରବେଶ ପଥ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି, ମହିଳା, ସାଧାରଣ ଲୋକ ଏବଂ ଭିଆଇପିଙ୍କ ପୃଥକ୍ ପ୍ରବେଶ ପଥ କରାଯାଇଛି। ଭିତରକୁ ପାଣି ବୋତଲ ନେବା ନିଷିଦ୍ଧ ହୋଇଥିବାବେଳେ ଏକ ଘରୋଇ ସଂସ୍ଥା ଦ୍ୱାରା ପାଣି ବଣ୍ଟାଯିବ। ନରାଜସ୍ଥିତ ଆଇବି ଏବଂ ହାଇକୋର୍ଟର ଗେଷ୍ଟ ହାଉସ୍କୁ ‘ସେଫ ହାଉସ୍’ ଭାବେ ପ୍ରସ୍ତୁତ କରାଯାଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ସଭାସ୍ଥଳରେ କୌଣସି ଅଘଟଣ କିମ୍ବା ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ଉକ୍ତ ସ୍ଥାନକୁ ସୁରକ୍ଷିତ ଭାବେ ନିଆଯିବା ସମ୍ପର୍କରେ ଆଜି କମିସନରେଟ୍ ପୁଲିସ ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର