ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍ କୀ ବାତ୍: ବିଶ୍ବବ୍ୟାପୀ ପ୍ରସାରଣ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ର ୧୦୦ତମ ଅଧ୍ୟ‌ାୟ ଆସନ୍ତା ଏପ୍ରିଲ ୩୦ ତାରିଖରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ବିଶ୍ବବ୍ୟାପୀ ପ୍ରସାରଣ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସମସ୍ତ ଜାତୀୟ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି।

ଜନୈକ ବିଜେପି କର୍ମକର୍ତ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍ କୀ ବାତ୍‌ର ବ୍ୟାପକ ପ୍ରସାରଣ ପାଇଁ ଏକଲକ୍ଷରୁ ଅଧିକ ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଦେଶର କୋଣ-ଅନୁକୋଣରେ ମୋଦୀଙ୍କ ବାର୍ତ୍ତା ଯେପରି ପହଞ୍ଚିବ ସେଥିପାଇଁ ଯୋଜନା କରାଯାଇଛି। ସମସ୍ତ ବିଜେପି-ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ କୁହାଯାଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଅତୀତରେ ତାଙ୍କ ମନ୍ କୀ ବାତ୍‌ରେ ଯେଉଁ ବ୍ୟକ୍ତିମାନଙ୍କର ନାମୋଚ୍ଚାରଣ କରିଛନ୍ତି ବା ଯାହାଙ୍କ କୃତିତ୍ବର ଉଦାହରଣ ଦେଇଛନ୍ତି ସେ ସମସ୍ତଙ୍କୁ ତାଙ୍କ ରାଜ୍ୟରେ କିମ୍ବା ରାଜ‌ଧାନୀରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ। ଯେଉଁ ପଦ୍ମଶ୍ରୀ ବା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତଙ୍କ ନାମ ମୋଦୀ ସ୍ମରଣ କରିଛନ୍ତି ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀରେ ୧୦୦ଟି ସ୍ଥାନ ନିରୁପଣ କରାଯିବ, ଯେଉଁଠି ଲୋକମାନଙ୍କୁ ଏକତ୍ରିତ କରି ପ୍ରଧାନମନ୍ତ୍ରୀଙ୍କ ୧୦୦ତମ ମନ୍ କୀ ବାତ୍ ଶୁଣାଇବାର ବ୍ୟବସ୍ଥା କରାଯିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର