ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜି-୨୦ର ବିଦେଶମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଏହାର ଜି-୨୦ ଅଧ୍ୟକ୍ଷତା କାଳରେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତାକୁ ଗ୍ରହଣ କଲା ତା’ ଉପରେ ଆଲୋଚନା କରିଥିଲେ। ଏହା ଗୋଟିଏ ଉଦ୍ଦେଶ୍ୟ ଓ ଗୋଟିଏ ପ୍ରକାର କାର୍ଯ୍ୟାନୁଷ୍ଠାନର ସୂଚନା ଦେଉଛି। ଆଜିର ଏହି ବୈଠକ ଏକାଠି ହେବାର ଉତ୍ସାହ ଓ ସମାନ ଧରଣର ଓ ପକ୍କା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ମୋଦୀ କହିଥିଲେ।
ଆଜି ବିଶ୍ୱରେ ବହୁପକ୍ଷୀୟ ଚିନ୍ତାଧାରା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ସ୍ୱୀକାର କରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱଯୁଦ୍ଧ ପରେ ଦୁଇଟି ମୁଖ୍ୟ କାର୍ଯ୍ୟ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ପାଇଁ କଳ୍ପନା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ପ୍ରଥମ ହେଲା ପ୍ରତିଯୋଗିତାମୂଳକ ସ୍ୱାର୍ଥର ସନ୍ତୁଳନ ରକ୍ଷା କରି ଭବିଷ୍ୟତ ଯୁଦ୍ଧ ପରିସ୍ଥିତିକୁ ଟାଳିବା ଓ ଦ୍ୱିତୀୟଟି ହେଉଛି ସମାନ ସ୍ୱାର୍ଥ ଥିବା ବିଷୟରେ ଆନ୍ତର୍ଜାତିକ ସହମତି ରକ୍ଷା। ଗତ କିଛିବର୍ଷ ମଧ୍ୟରେ ଆର୍ଥକ ଜଟିଳତା, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ ଓ ଯୁଦ୍ଧ ଇତ୍ୟାଦି କ୍ଷେତ୍ରରେ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ବିଫଳ ହୋଇଛି। ଏଭଳି ଅସଫଳତାର ଦୁଃଖଦ ପରିଣତି ମୁଖ୍ୟତଃ ବିଶ୍ୱର ବିକାଶୋନ୍ମୁଖୀ ରାଷ୍ଟ୍ର ଉପରେ ପଡିଛି।
ବର୍ଷ ବର୍ଷର ପ୍ରଗତି ସତ୍ତ୍ବେ ବିଶ୍ୱ ସ୍ଥାୟୀ ଓ ନିରନ୍ତର ବିକାଶକୁ ଅଣଦେଖା କରିବାକୁ ବାଧ୍ୟ ହୋଇଛି। ଅନେକ ବିକାଶମୁଖୀ ଦେଶ ଅସମ୍ଭାଳ ଋଣଭାର ସହିତ ସଂଗ୍ରାମ କରିବା ସହ ଦେଶବାସୀଙ୍କ ନିମନ୍ତେ ଖାଦ୍ୟ ଓ ଶକ୍ତି ନିରାପତ୍ତା ସୁରକ୍ଷିତ କରିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି। ଧନୀ ଦେଶଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବୈଶ୍ୱିକ ତାପମାତ୍ରା ବୃଦ୍ଧି ନିମନ୍ତେ ବିକାଶମୁଖୀ ରାଷ୍ଟ୍ରଗୁଡିକ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଜି-୨୦ ଅଧ୍ୟକ୍ଷତା କରୁଥିବା ଭାରତ ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ହେବାକୁ ଚେଷ୍ଟା କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ବିଭିନ୍ନ ନିଷ୍ପତ୍ତି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଦେଶମାନଙ୍କ ସମସ୍ୟା ଉପରେ ଧ୍ୟାନ ନ ଦେଇ କେହି ବି ବୈଶ୍ୱିକ ନେତୃତ୍ୱ ଦାବି କରିପାରିବେ ନାହିଁ ବୋଲି କହିଥିଲେ। ବୈଶ୍ୱିକ ବିଚ୍ଛିନ୍ନତାବାଦର ଘନଘଟା ମଧ୍ୟରେ ଆଜିର ବୈଠକ ଅନୁଷ୍ଠିତ ହେଉଛି ଓ ଆଲୋଚନା ଭୂ-ରାଜନୈତିକ ଅଶାନ୍ତି ଯୋଗୁଁ ବାଧାପ୍ରାପ୍ତ ହେଉଛି। ଆମେ ସମସ୍ତେ ଏହି ଅଶାନ୍ତି ଦୂର କରିବା ନିମନ୍ତେ ସଜାଗ ରହିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସେ କହିଥିଲେ ଯେ ପୃଥିବୀ ଅଭିବୃଦ୍ଧି, ବିକାଶ, ଆର୍ଥିକ ସ୍ଥାୟିତ୍ୱ, ଅପରାଧ, ଦୁର୍ନୀତି, ଆତଙ୍କବାଦ, ଖାଦ୍ୟ ଓ ଶକ୍ତି ସୁରକ୍ଷାର ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ଜି-୨୦କୁ ଭରସା କରିଛି ଓ ଜି-୨୦ ଏ ଦିଗରେ ଏକ ସହମତି ସୃଷ୍ଟି କରି ସମସ୍ୟାର ମୁକାବିଲା କରି ପାରିବାର ସାମର୍ଥ୍ୟ ରଖିଛି। ବୈଠକ ଗାନ୍ଧି ଓ ବୁଦ୍ଧଙ୍କ ଦେଶରେ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ମହାମହିମମାନଙ୍କୁ ଭାରତୀୟ ସଭ୍ୟତାର ମୂଳମନ୍ତ୍ର ଯାହା ଆମକୁ ଏକତାସୂତ୍ରରେ ବାନ୍ଧି ରଖିଛି ସେଥିରୁ ପ୍ରେରଣା ଲାଭ କରିବାକୁ ଅନୁରୋଧ କରିଥିଲେ।