ନୂଆଦିଲ୍ଲୀ: କୋଲକାତାରେ ଅନୁଷ୍ଠିତ ଜି-୨୦ ଦୁର୍ନୀତିବିରୋଧୀ ମନ୍ତ୍ରିସ୍ତରୀୟ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆଭାସୀଭାବେ ସଂବୋଧିତ କରିଛନ୍ତି। ଏହି ଅବସରରେ ଦୁର୍ନୀତି ପ୍ରତି ଭାରତ ସରକାର ଶୂନ୍ୟ-ସହନଶୀଳ ନୀତି ଗ୍ରହଣ କରିଛନ୍ତି ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏକ ସ୍ବଚ୍ଛ ଓ ଉତ୍ତରଦାୟୀ ଇକୋସିଷ୍ଟମ୍ ସୃଷ୍ଟି କରିବା ପାଇଁ ଭାରତ ବୈଷୟିକ ପ୍ରଯୁକ୍ତି ଓ ଇ-ଗଭର୍ଣ୍ଣାନ୍ସ ଉପରେ ଗୁରୁତ୍ବ ଦେଉଛି। ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ଲେଖାରୁ ଉଦ୍ଧାର କରି ମୋଦୀ କହିଥିଲେ ଯେ, ଲୋଭ ହେଉଛି ଦୁର୍ନୀତିର ମୂଳ କାରଣ ଏବଂ ଏହା ସତ୍ୟ ଉପଲବ୍ଧି କରିବାକୁ ଦିଏ ନାହିଁ। ଦୁର୍ନୀତି ଦ୍ବାରା ସାଧାରଣ ଗରିବ ଓ ବଞ୍ଚିତ ବର୍ଗ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୁଅନ୍ତି ବୋଲି ମୋଦୀ କହିଥିଲେ।

Advertisment

ମୋଦୀ କହିଥିଲେ, ଦୁର୍ନୀତି ଯୋଗୁ ସମ୍ପଦର ଉପଯୋଗ ପ୍ରଭାବିତ ହୁଏ, ବଜାର ବିକଳାଙ୍ଗ ହୁଏ, ଜନସେବା ପ୍ରଭାବିତ ହୁଏ ଏବଂ ଲୋକଙ୍କ ଜୀବନଧାରଣର ମାନ ସଂକୁଚିତ ହୁଏ। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରର ଉଦାହରଣ ଦେଇ ସେ କହିଥିଲେ ଯେ, ଜନକଲ୍ୟାଣକୁ ବୃଦ୍ଧି କରିବା ପାଇଁ ରାଷ୍ଟ୍ରର ସମ୍ପଦ ବଢ଼ାଇବା ହେଉଛି ସରକାରଙ୍କ କର୍ତ୍ତବ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ଦୁର୍ନୀତି ବିରୋଧରେ ଲଢ଼ିବା ଆବଶ୍ୟକ ଏବଂ ଜନସାଧାରଣଙ୍କ ହିତ ଲାଗି ଏହା ହେଉଛି ସରକାରଙ୍କର ପବିତ୍ର କର୍ତ୍ତବ୍ୟ।

ମୋଦୀ କହିଥିଲେ ଯେ, ବିଭିନ୍ନ ଜନମଙ୍ଗଳକାରୀ ସରକାରୀ ଯୋଜନା ଓ ପ୍ରକଳ୍ପ ଭିତରେ ରହିଥିବା ଦୁର୍ନୀତିର ଗଳାବାଟକୁ ବନ୍ଦ କରାଯାଉଛି। ଏବେ ବିଭିନ୍ନ ଜନମଙ୍ଗଳ ଯୋଜନାର ଅର୍ଥ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର ହେଉଛି। କୋଟିକୋଟି ଲୋକଙ୍କ ବ୍ୟାଙ୍କ ଖାତାରେ ୩୬୦ ଶହ କୋଟି ଡଲାର ଜମା ହୋଇଛି ଏବଂ ଏହାଦ୍ବାରା ୩୩ ଶହ କୋଟି ଡଲାର ବଞ୍ଚିପାରିଛି ବୋଲି ସେ କହିଥିଲେ। ସରକାରୀ ସଂଗ୍ରହରେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ୍ ବା ଜିଇଏମ୍‌ ପୋର୍ଟାଲ ସ୍ବଚ୍ଛତା ରକ୍ଷାରେ ସାହାଯ୍ୟ କରୁଛି। ୨୦୧୮ର ଇକୋନମିକ୍ ଅଫେଣ୍ଡର୍ସ ଆକ୍ଟ ସମ୍ପର୍କରେ ଉଲ୍ଲେଖ କରି ମୋଦୀ କହିଥିଲେ ଯେ, ଏହି ଆଇନ ବଳରେ ଅର୍ଥନୈତିକ ଅପରାଧୀମାନଙ୍କଠାରୁ ୧୮୦ କୋଟି ଡଲାର ମୂଲ୍ୟର ସମ୍ପଦ ଜବତ କରାଯାଇ ପାରିଛି। ମନିଲଣ୍ଡରିଂ ବିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ସାହାଯ୍ୟରେ ମଧ୍ୟ ୧୨୦୦ କୋଟି ଡଲାର ମୂଲ୍ୟର ସମ୍ପତ୍ତି ଜବତ କରାଯାଇ ପାରିଛି ବୋଲି ସେ କହିଥିଲେ।