ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ୨୦୨୩ ଜି-୨୦ ସମ୍ମିଳନୀ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳର ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିକ୍କିମର ପ୍ରେମ ସିଂହ ତମଙ୍ଗ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶ ମୁଖମନ୍ତ୍ରୀ ଜଗନ ମୋହନ ରେଡ୍ଡି, ତାମିଲନାଡୁର ଏମ୍‌କେ ଷ୍ଟାଲିନ, ବିଜେପି ସଭାପତି ଜେପି ନଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ସିପିଏମ୍‌ ସାଧାରଣ ସଚିବ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସଚିବ ଡି ରାଜା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବୈଠକରେ ଯୋଗ ଦେଇଥିଲେ।

Advertisment

‌କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ବୈଠକରେ ଉପସ୍ଥିତ ଥିଲେ। ଜି-୨୦ରେ ଭାରତର ଅଧ୍ୟକ୍ଷତା ସମୟରେ ସରକାର କେଉଁ କାର୍ଯ୍ୟକ୍ରମ ଯୋଜନା କରିଛନ୍ତି ସେନେଇ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ତେବେ ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଜେଡିୟୁ ସଭାପତି ଲଲନ ସିଂହ ଏବଂ ଜେଡିୟୁର କେହି ପ୍ରତିନିଧିତ୍ବ କରିନାହାନ୍ତି। ଜି-୨୦ର ସଭାପତିତ୍ବ ଭାରତ ପାଇଁ ଗର୍ବର ବିଷୟ। ଭାରତର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ଏହା ସୁଯୋଗ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଏହି ଏହି ଅବସରରେ କହିଥିଲେ। ଆସନ୍ତାବର୍ଷ ନଭେମ୍ବରରେ ଜି-୨୦ ରାଷ୍ଟ୍ରମୁଖ୍ୟମାନଙ୍କ ବୈଠକ ‌ନୂଆଦିଲ୍ଲୀରେ ହେବ।