ଜାତିସଂଘ ମହାସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ: ପାକିସ୍ତାନର ନାଁ ନନେଇ ବର୍ଷିଲେ

କିଛି ରାଷ୍ଟ୍ର ଆତଙ୍କବାଦକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି,

ଜାତିସଂଘ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ମହାସଭାର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେଇଛନ୍ତି। ଆଫଗାନିସ୍ତାନ ଏବଂ କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଗୁରୁତ୍ବାରୋପ କରିଛନ୍ତି। ପରୋକ୍ଷରେ ପାକିସ୍ତାନକୁ ଚେତାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉ ଦେଶ ଆତଙ୍କବାଦକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ତାହାକୁ ବୁଝିବାକୁ ହେବ ଯେ ଆତଙ୍କବାଦ ସେମାନଙ୍କପାଇଁ ମଧ୍ୟ ବଡ଼ ବିପଦ। ଆଫଗାନିସ୍ତାନ ମାଟିକୁ ଆତଙ୍କବାଦ ବିସ୍ତାର ପାଇଁ ଯେଭଳି ବ୍ୟବହାର କରାଯାଇପାରିବ ନାହିଁ ତାହା ସୁନିଶ୍ଚିତ କରିବାକୁ ହେବ। କୌଣସି ଦେଶ ଯେଭଳି ଆଫ୍‌ଗାନ ସଙ୍କଟରୁ ଫାଇଦା ଉଠାଇବାକୁ ଚେଷ୍ଟା ନ‌କରେ ସେଥିପାଇଁ ଆମକୁ ସତର୍କ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏବେ ଆଫଗାନିସ୍ତାନର ଜନତା, ସେଠକାର ମହିଳା, ଶିଶୁ ଏବଂ ସଂଖ୍ୟାଲଘୁଙ୍କୁ ସହାୟତା କରିବା ଜରୁରୀ ହୋଇପଡ଼ିଛି ଏବଂ ଆମକୁ ଏ ବାବଦରେ ଦାୟିତ୍ବ ନିର୍ବାହ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କିଛି ରାଷ୍ଟ୍ର ଆତଙ୍କବାଦକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି

ଭାରତୀୟଙ୍କ ପ୍ରଗତିରେ ବିଶ୍ବକୁ ଗତି ମିଳେ
 ଭାରତ ଜୀବନ୍ତ ଗଣତନ୍ତ୍ରର ଶ୍ରେଷ୍ଠ ଉଦାହରଣ
 ବିଶ୍ବ ଟିକା ନିର୍ମାତାଙ୍କୁ ଆହ୍ବାନ: ଭାରତ ଆସି ଟିକା ତିଆରି କରନ୍ତୁ

 ବିଶ୍ବର ପ୍ରଥମ ଡିଏନ୍‌ଏ ଟିକା ଭାରତ ପ୍ରସ୍ତୁତ କରିଛି

କୋଭିଡ୍‌ ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ହେଲା ବିଶ୍ବ ବିଗତ ଶହେ ବର୍ଷର ସବୁଠାରୁ ବଡ଼ ମହମାରୀର ମୁକାବିଲା କରୁଛି। ଏହି ଭୟଙ୍କର ମହାମାରୀରେ ଜୀବନ ହରାଇଥିବା ଲୋକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ଟିକାକରଣ ପ୍ଲାଟଫର୍ମ କୋୱିନ୍‌ କୋଟି କୋଟି ଲୋକଙ୍କୁ ଟିକା ଦେବା ସଂକ୍ରାନ୍ତ ସେବା ଯୋଗାଇ ଦେଉଛି। ମହାମାରୀ ସମୟରେ ଭାରତ ପୂରା ବିଶ୍ବର ମଂଗଳ ପାଇଁ ନିୟୋଜିତ ରହିଛି । ଭାରତ ବିଶ୍ବର ପ୍ରଥମ ଡିଏନ୍‌ଏ ଟିକା ପ୍ରସ୍ତୁତ କରିଛି ଯାହାକୁ ୧୨ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଦିଆଯାଇ ପାରିବ। ଭାରତର ବୈଜ୍ଞାନିକମାନେ ଏକ ଆର୍‌ଏନ୍‌ଏ ଟିକା ପ୍ରସ୍ତୁତିରେ ମଧ୍ୟ ଲାଗିଛନ୍ତି। ଟିକା ଆବଶ୍ୟକ କରୁଥିବା ରାଷ୍ଟ୍ରମାନଙ୍କୁ ପୁଣି ଥରେ ଟିକା ଯୋଗାଣ ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବିଶ୍ବର କୋଭିଡ ଟିକା ନିର୍ମାତାମାନେ ଭାରତରେ ଟିକା ନିର୍ମାଣ କରି ପୂରା ବିଶ୍ବକୁ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ବାନ ଦେଇଛନ୍ତି। ପୂରା ବିଶ୍ବକୁ ଭାରତ ଏକ ପରିବାର ଭାବେ ଗ୍ରହଣ କରିଛି। ଏବେ ବିଶ୍ବରେ ପ୍ରତି ୬ ଜଣରେ ଜଣେ ହେଉଛନ୍ତି ଭାରତୀୟ। ଯେତେବେଳେ ଭାରତର ପ୍ରଗତି ହେଉଛି ସେତେବେଳେ ବିଶ୍ବକୁ ଗତି ମିଳୁଛି। ଯେତେବେଳେ ଭାରତରେ ସଂସ୍କାରର ନୂଆ ଧାରା ଆସିଥାଏ ସେତେବେଳେ ବିଶ୍ବରେ ବି ପରିବର୍ତ୍ତନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମସ୍ତଙ୍କର ବିକାଶ ପାଇଁ ଭାରତ ସର୍ବଦା ପ୍ରାଥମିକତା ଦେଇ ଆସିଛି। ଭାରତର ୪୩ କୋଟିରୁ ଅଧିକ ଲୋକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଯୋଡ଼ି ହୋଇଛନ୍ତି। ଦେଶରେ ୫୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି ଏବଂ ୩୬ କୋଟି ଲୋକ ବୀମା ସୁରକ୍ଷା ବଳୟରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦୂଷିତ ଜଳ ଏବେ ପୂରା ବିଶ୍ବ ପାଇଁ ବଡ଼ ସମସ୍ୟା ହୋଇଛି। ଭାରତ ଏହି ସମସ୍ୟାରୁ ମୁକୁଳିବା ପାଇଁ ୧୭ କୋଟି ଘରକୁ ସ୍ବଚ୍ଛ ଜଳ ଯୋଗାଣ ନିମନ୍ତେ ପ୍ରୟାସ ଆରମ୍ଭ କରିଛି। ଆଜି ଭାରତର ୬ ଲକ୍ଷରୁ ଅଧିକ ଗ୍ରାମକୁ ଡ୍ରୋନ୍‌ ଦ୍ବାରା ମ୍ୟାପିଂ କରାଯାଇ କୋଟି କୋଟି ଲୋକଙ୍କୁ ସେମାନଙ୍କ ଘର ଓ ଜମିର ଡିଜିଟାଲ ରେକର୍ଡ ଦେବା ପ୍ରୟାସ ଚାଲିଛି। ଏହି ରେକର୍ଡ ଲୋକଙ୍କ ସମ୍ପତ୍ତି ବିବାଦକୁ ଶେଷ କରିବା ଦିଗରେ ବିଶେଷ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଏଭଳି ଏକ ରାଷ୍ଟ୍ରର ପ୍ରତିନିଧିତ୍ବ କରୁଛି ଯାହା ଗଣତନ୍ତ୍ରର ଜନନୀ ଭାବେ ପରିଚିତ। ‌ଗଣତନ୍ତ୍ର ହିଁ ଲୋକଙ୍କୁ ଉତ୍ତମ ଜୀବନ ଦେଇପାରିବ ଏବଂ ଏହା ପ୍ରତିପାଦିତ ହୋଇଛି। ରେଳ ଷ୍ଟେସନରେ ଚା’ ବିକ୍ରି କରୁଥିବା ବାଳକ ଏବେ ଜାତିସଂଘ ମହାସଭାରେ ଚତୁର୍ଥ ଥର ପାଇଁ ଉଦ୍‌ବୋଧନ ଦେଉଛି । ଯେଉଁମାନେ ଭାରତରେ ବାସହୀନ ଥିଲେ ସେମାନଙ୍କୁ ବାସଗୃହର ମାଲିକ କରାଇଛି ଭାରତ। ଏକ ସଫଳ, ଜୀବନ୍ତ ଓ ଉତ୍ସାହପ୍ରଦ ଗଣତାନ୍ତ୍ରିକ ରାଷ୍ଟ୍ରର ଜ୍ବଳନ୍ତ ଉଦାହରଣ ଭାରତ ସମସ୍ତଙ୍କ କଲ୍ୟାଣରେ ନିୟୋଜିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

ସମ୍ବନ୍ଧିତ ଖବର