ଥାନାରେ ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ; ଘଣ୍ଟାଏ ପରେ ହେଲା ସମସ୍ୟାର ସମାଧାନ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି ମଙ୍ଗଳବାର ଦିନ ପାଖାପାଖି  ଘଣ୍ଟାଏ  ପର୍ଯ୍ୟନ୍ତ ଏକ ଥାନା ସାମନାରେ ଧାରଣାରେ ବସିଥିଲେ । ଅହମ୍ମଦାବାଦରୁ ହରିଦ୍ୱାର ଯାଉଥିବା ପ୍ରହଲ୍ଲାଦ ତାଙ୍କ ସହ ଯାତ୍ରା କରୁଥିବା ସୁରକ୍ଷା କର୍ମୀଙ୍କ ଲାଗି ଏକ ସ୍ବତନ୍ତ୍ର ଗାଡ଼ି ଦାବି କରି ଧାରଣାରେ ବସିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହଲ୍ଲାଦ ଚାହୁଁ ନ ଥିଲେ କି ତାଙ୍କ ସହ ସମାନ ଗାଡ଼ିରେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯାତ୍ରା କରନ୍ତୁ।

ସୂଚନାଯୋଗ୍ୟ, ପ୍ରହଲ୍ଲାଦ ଅହମ୍ମଦାବାଦରୁ ହରିଦ୍ୱାର ଯାଉଥିଲେ । ମାତ୍ର  ଆଜମେରରୁ ଜୟପୁର ଯାତ୍ରା କରୁଥିବା ବେଳେ ତାଙ୍କୁ ପୁଲିସ ପକ୍ଷରୁ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଇନଥିଲା। ପ୍ରଚଳିତ ନିୟମ ଅନୁସାରେ ଦୁଇ ଜଣ ସୁରକ୍ଷା ଅଧିକାରୀ ତାଙ୍କ ସହ ଗୋଟିଏ ଗାଡ଼ିରେ ବସିବା ଦରକାର, ମାତ୍ର ଏହାକୁ ଗ୍ରହଣ କରି ପାରି ନ ଥିଲେ ପ୍ରହଲ୍ଲାଦ ମୋଦୀ। ସେ ପୁଲିସ ନିକଟରୁ ସେମାନଙ୍କ ଲାଗି ଏକ ଅଲଗା ଗାଡ଼ି ଦାବି କରିଥିଲେ। ଗାଡ଼ି ଯୋଗାଇ ଦିଆ ନ ଯିବାରୁ ଜୟପୁର-ଆଜମେର ରାଜପଥସ୍ଥିତ ବଗରୁ ଥାନାରେ ଧାରଣାରେ ବସିଥିଲେ।

ଏହି ଖବର ପାଇ ଜୟପୁରର ପୁଲିସ କମିଶନର ଆନନ୍ଦ ଶ୍ରୀବାସ୍ତବ ଘଟଣାସ୍ଥଳରେ ପହଞ୍ଚି  ପ୍ରହଲ୍ଲାଦ ମୋଦୀଙ୍କୁ  ସୁରକ୍ଷା ବ୍ୟବସ୍ଥା ସଂପର୍କୀତ ନିୟମ ବୁଝାଇ ଥିଲେ। ଏହାପରେ ପ୍ରହଲ୍ଲାଦ ମୋଦୀ ତାଙ୍କ ଗାଡ଼ିରେ ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ବସାଇବାକୁ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର