ନୂଆଦିଲ୍ଲୀ: ଦେଶର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ କାମ କରିବା ଆବଶ୍ୟକ। ଉଭୟ ମିଳିତ ଭାବେ କାମ କଲେ ଦେଶରେ କୌଣସି ଲକ୍ଷ୍ୟ ହାସଲ ଅସମ୍ଭବ ନୁହେଁ। ଆମକୁ ବିକାଶର ବେଗକୁ ତ୍ବରାନ୍ବିତ କରିବାକୁ ପଡ଼ିବ। ଯଦି କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଟିମ୍ ଇଣ୍ଡିଆ ଭଳି କାମ କରିବେ ତା’ହେଲେ ସବୁ ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ ବୋଲି ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତବର୍ଷ ଗଭର୍ଣ୍ଣିଂ କାଉନସିଲ ବୈଠକର ବିଷୟବସ୍ତୁ ରହିଥିଲା ‘୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ’।
ପ୍ରଧାନମନ୍ତ୍ରୀ କହିଥିଲେ, ବିକଶିତ ଭାରତ ଗଠନ ଲକ୍ଷ୍ୟ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା। ଯେତେବେଳେ ପ୍ରତ୍ୟେକ ରାଜ୍ୟ ବିକଶିତ ହେବ ସେତେବେଳେ ଭାରତ ବିକଶିତ ହେବ। ୧୪୦ କୋଟି ନାଗରିକଙ୍କର ଏହା ହିଁ ଅଭିଳାଷ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ରାଜ୍ୟଗୁଡ଼ିକରେ ପର୍ଯ୍ୟଟନର ବିକାଶ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟଗୁଡ଼ିକ ସେମାନଙ୍କ ରାଜ୍ୟରେ ଅତିକମ୍ରେ ଗୋଟିଏ ଅନ୍ତର୍ଜାତୀୟମାନର ପର୍ଯ୍ୟଟନ ସ୍ଥଳୀର ବିକାଶ କରିବାକୁ ଆହ୍ବାନ କରିଛନ୍ତି। ଏସବୁ ସ୍ଥାନ ପଡ଼ୋଶୀ ସହର କିମ୍ବା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶରେ ସହାୟକ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି।
ବିକଶିତ ଭାରତ ପାଇଁ ବିକାଶକୁ ତ୍ବରାନ୍ବିତ କର
ଶ୍ରମଶକ୍ତିରେ ମହିଳାଙ୍କୁ ସାମିଲ କରାଯାଉ
ପରିବର୍ତ୍ତନକୁ ସାଧାରଣ ଲୋକ ଅନୁଭବ କଲେ ତାହା ଆନ୍ଦୋଳନର ରୂପ ନେବ
ଦେଶର ଶ୍ରମଶକ୍ତିରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି। ମହିଳାମାନେ ଯେଭଳି ଶ୍ରମଶକ୍ତିରେ ସାମିଲ ହୋଇପାରିବେ ସେଥିପାଇଁ ଆମକୁ ଅନୁକୂଳ ନୀତି ଏବଂ ଆଇନ ପ୍ରଣୟନ କରିବାକୁ ହେବ ବୋଲି ସେ କହିଛନ୍ତି। ଆମକୁ ଏଭଳି ଢଙ୍ଗରେ କାର୍ଯ୍ୟ କରିବାକୁ ହେବ ଯାହାଦ୍ବାରା ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଯେତେବେଳେ ସାଧାରଣ ଲୋକ ପରିବର୍ତ୍ତନକୁ ଅନୁଭବ କରିବେ ସେତେବେଳେ ସେହି ପରିବର୍ତ୍ତନ ମଜଭୁତ ହୋଇଥାଏ ଏବଂ ତାହା ଆନ୍ଦୋଳନରେ ପରିଣତ ହୋଇଥାଏ। ୧୪୦ କୋଟି ଲୋକଙ୍କ ଅଭିଳାଷ ପୂରଣ କରିବା ପାଇଁ ଗୋଟିଏ ଟିମ୍ ଭାବେ ଆମ ପାଖରେ ବିରାଟ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରେସନ୍ ‘ସିନ୍ଦୂର’ ପରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରମୁଖ ବୈଠକ ଥିଲା। ପହଲଗାମରେ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀ ଗୁଳିକରି ମାରିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହା ଜମ୍ମୁ କାଶ୍ମୀର ସମେତ ଦେଶର ଅନ୍ୟ ରାଜ୍ୟର ପର୍ଯ୍ୟଟନକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ରାଜ୍ୟ, ଗୋଟିଏ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥାନ ବିକାଶ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।
ଚମକିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ଦ୍ରୁତଗତିରେ ବଢ଼ୁଛି। ୨୦୨୪-୨୫ରେ ଦେଶର ଅଭିବୃଦ୍ଧି ହାର ୬.୫% ଥିବାବେଳେ ଏହି ସମୟରେ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଯୋଗୁ ଅଭିବୃଦ୍ଧି ହାର ୭.୨% ରହିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବା ବେଳେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। ଗତ ୧୧ ମାସରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫ଥର ଗସ୍ତ କରିବା ଦର୍ଶାଉଛି ଯେ ଓଡ଼ିଶାର ବିକାଶ ପାଇଁ ତାଙ୍କର କେତେ ପ୍ରତିବଦ୍ଧତା ଅଛି। ମୁଁ ନିଶ୍ଚିତ କରୁଛି ଯେ ଆସନ୍ତା ୨୫ ବର୍ଷ ପାଇଁ ଦେଶର ବିକାଶରେ ଓଡ଼ିଶା ଅଭିବୃଦ୍ଧି ଇଞ୍ଜିନ ହେବ। ଏହା ବିକଶିତ ଭାରତ ମଧ୍ୟରେ ଚମକିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ରାଜ୍ୟ ସରକାର କ’ଣ ଲକ୍ଷ୍ୟ ରଖିଛନ୍ତି, କିପରି କାର୍ଯ୍ୟ ହେଉଛି ତା’ର ସୂଚନା ଦେବା ସହ କହିଛନ୍ତି, ‘ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ ଗଠନ ହେବା ଦରକାର। ଆଉ ଓଡ଼ିଶା ପାଇଁ ଏହି ସମୟ ହିଁ ସବୁଠୁ ପ୍ରକୃଷ୍ଟ ସମୟ। ବିକଶିତ ଓଡ଼ିଶା ଗଠନ କରିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଏବଂ ସବୁ ରାଜ୍ୟର ସେ ସହଯୋଗ ଲୋଡ଼ିଛନ୍ତି। ଏହାସହ କହିଛନ୍ତି ଯେ ୨୦୩୬ରେ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଆମେରିକୀୟ ଡଲାର ଛୁଇଁବାକୁ ଥିବାବେଳେ ୨୦୪୭ ସୁଦ୍ଧା ଏହା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୩୬ ସୁଦ୍ଧା ଯେଉଁ ବିକଶିତ ଓଡ଼ିଶା ଗଠନ ହେବ ତାହା ସମୃଦ୍ଧ, ଉନ୍ନତ ଏବଂ ଗର୍ବିତ ଓଡ଼ିଶା ହେବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ‘ଓଡ଼ିଶା ଭିଜନ୍ ଡକୁମେଣ୍ଟ’ ପ୍ରସ୍ତୁତ କରାଯାଇଛି। ଏହା ଏକ ବ୍ୟାପକ, କାର୍ଯ୍ୟକ୍ଷମ ଏବଂ ସମସ୍ତଙ୍କୁ ସାମିଲ୍ କରିବା ଭଳି ରିପୋର୍ଟ। ଯେଉଁଥିରେ ରାଜ୍ୟର ୩,୨୦,୦୦୦ରୁ ଅଧିକ ଲୋକଙ୍କଠାରୁ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆସିଥିବା ପ୍ରସ୍ତାବକୁ ଏଆଇ ମାଧ୍ୟମରେ ବିଶ୍ଲେଷଣ କରି ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଜୁନ୍ ୧୨ରେ ଏହାକୁ ଲୋକାର୍ପଣ କରାଯିବ। ମୁଁ ବ୍ୟକ୍ତିଗତ ଭାବେ ଏହାର କାର୍ଯ୍ୟାନ୍ବୟନକୁ ତଦାରଖ କରିବି।
ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିକୁ ନେଇ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟର ସମସ୍ତ ଚାଷ ଜମିକୁ ଜଳସେଚିତ କରି କୃଷି ଉତ୍ପାଦନକୁ ବଢ଼ାଯିବ, ଚାଷୀର ଆୟ ବଢ଼ାଇବା ସହ ଦ୍ରୁତ ସହରୀକରଣକୁ ଅଭିବୃଦ୍ଧିର ଇଞ୍ଜିନ କରାଯିବ। ଏହା ଉପରେ କାମ ଆରମ୍ଭ ହୋଇଯାଇଛି। ୨୦୨୯-୩୦ ସୁଦ୍ଧା ୧୫ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବୁ। ସେହିପରି ଏବେ ସହରାଞ୍ଚଳରେ ମାତ୍ର ୧୭% ଲୋକ ରହୁଥିବାବେଳେ ୨୦୩୬ ସୁଦ୍ଧା ୪୦% ଏବଂ ୨୦୪୭ ସୁଦ୍ଧା ୬୦%ରେ ପହଞ୍ଚାଯିବ। ଏହାସହ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ, କଟକ, ପାରାଦୀପ, ପୁରୀ ଆଦିକୁ ନେଇ ୭ହଜାର ବର୍ଗକିମିର ଏକ ମେଟ୍ରୋ ପଲିଟାନ୍ ଅଞ୍ଚଳ କରିବୁ। ଭାରତ ସରକାରଙ୍କ ସହଯୋଗରେ ବିଶ୍ବସ୍ତରୀୟ ରାସ୍ତା ନିର୍ମାଣ, ରେଳ ଓ ବିମାନ ସଂଯୋଗୀକରଣ ବଢ଼ାଇବାକୁ ଚାହୁଛୁ। ରାଜ୍ୟର ଦୀର୍ଘତମ ଉପକୂଳକୁ ବନ୍ଦରଭିତ୍ତିକ ଅର୍ଥନୈତିକ ଜୋନ୍ରେ ପରିଣତ କରିବୁ। ଆମେ କପଡ଼ା, ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପରେ ଅଧିକ ପୁଞ୍ଜିନିବେଶ କରିବାକୁ ସବୁ ପ୍ରକାରର ଉଦ୍ୟମ କରୁଛୁ। ଏହାସହ ଆଇଟିଇଏସ୍ ଏବଂ ବିଶ୍ବସ୍ତରୀୟ ଦକ୍ଷତା କେନ୍ଦ୍ର ହବ୍ ଭାବେ ଓଡ଼ିଶା ଏବେ ପରିଚୟ ହାସଲ କଲାଣି। ଓଡ଼ିଶାର ବିକାଶରେ ମହିଳାଙ୍କ ଭାଗିଦାରୀ ବଢ଼ାଇବାକୁ ୧୮ରୁ ୫୯ବର୍ଷର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି। ଆମର ଭବିଷ୍ୟ ପିଢ଼ି ଯେପରି ସୁସ୍ଥ ଓ ଶିକ୍ଷିତ ହେବେ ସେଥିପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେଉଛି।
ଓଡ଼ିଶାର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେବା ସହ କହିଛନ୍ତି, ଓଡ଼ିଶାରେ ଯେପରି ବ୍ୟବସାୟ କରିବା ସହଜ ହେବ ଏବଂ ଶିଳ୍ପ ପାଇଁ ଏକ ଇକୋ ସିଷ୍ଟମ ସୃଷ୍ଟି ହେବ ସେଥିପାଇଁ ଛୋଟ ଅପରାଧଗୁଡ଼ିକ ପାଇଁ କୋହଳ ଦଣ୍ଡ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ୮ଟି ବିଭାଗକୁ ସାମିଲ୍ କରି ଦଣ୍ଡ ବ୍ୟବସ୍ଥାରେ ସଂଶୋଧନ କରାଯାଉଛି। ଖୁବ୍ ଶୀଘ୍ର ଓଡ଼ିଶା ଜନବିଶ୍ବାସ ବିଲ୍-୨୦୨୫ ଆସିବ। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଦାବେଳେ ‘ବିକାଶ ଭି ବିରାସତ ଭି’ କୁହନ୍ତି। ଆମେ ବିକଶିତ ଓଡ଼ିଶା ଗଠନ କରିବାକୁ ଯାଉଥିବାବେଳେ ଏଥିରେ ଓଡ଼ିଆ ଅସ୍ମିତାକୁ ଅଧିକ ଫୋକସ୍ କରିବୁ। ଆମର ସ୍ବତନ୍ତ୍ର ପରିଚୟକୁ ମାନ୍ୟତା ମିଳିବା ସହ ଆଧୁନିକ ବିଶ୍ବକୁ ସଶକ୍ତ କରିବ। ମୋ ସରକାର ଓଡ଼ିଆ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ବ ଦେଉଛି। କେନ୍ଦ୍ର ସରକାର ବାଲିଯାତ୍ରାକୁ ମାନ୍ୟତା ଦେଇଥିବାବେଳେ ଆମେ ଏନ୍ଏସ୍ଡି ସହଯୋଗରେ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ଆହୁରି ଧୁମ୍ଧାମ୍ରେ ପାଳନ କରିବାକୁ ଯୋଜନା କରିଛୁ।