ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ୟୁନିଭର୍ସିଟି ଡିଗ୍ରି ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ତାଙ୍କ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏହି ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ସମାଲୋଚନା କରିଛନ୍ତି। ପାୱାର କହିଛନ୍ତି, ଜଣଙ୍କର ଶିକ୍ଷାଗତ ଡିଗ୍ରି ଏକ ରାଜନୈତିକ ପ୍ରସଙ୍ଗ କିଭଳି ହୋଇପାରିବ। ରବିବାର ଦିନ ପାୱାର ସାମ୍ବାଦିକଙ୍କୁ କହିଛନ୍ତି, ଆମେମାନେ ଦେଶରେ ବେକାରୀ, ଆଇନ ଶୃଙ୍ଖଳା ଏବଂ ଦରବୃଦ୍ଧି ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛେ। ଜାତି ଏବଂ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି। ଅଦିନିଆ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଶସ୍ୟ ନଷ୍ଟ ହୋଇଯାଇଛି।

Advertisment

ଉକ୍ତ ପ୍ରସଙ୍ଗ ଗୁଡ଼ିକରେ ଆଲୋଚନାର ଆବଶ୍ୟକତା ରହିଛି। କିନ୍ତୁ ଜଣଙ୍କର ଶିକ୍ଷାଗତ ଯୋଗ୍ୟତା କିଭଳି ଏକ ରାଜନୈତିକ ପ୍ରସଙ୍ଗ ହୋଇପାରିବ। ମେଣ୍ଟ ସ‌ହଯୋଗୀ ଶିବସେନା -ୟୁବିଟି ନେତା ସଂଜୟ ରାଉତଙ୍କ ଟିପ୍ପଣୀଠାରୁ ପାୱାର ଭିନ୍ନ ମତ ରଖିଛନ୍ତି। ସଂଜୟ ରାଉତ କହିଛନ୍ତି, ମୋଦୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମସ୍ତଙ୍କୁ ଜଣାଇବା ପାଇଁ ଆଗେଇ ଆସନ୍ତୁ ଏବଂ ତାଙ୍କ ଡିଗ୍ରୀ ସଂସଦର ପ୍ରବେଶ ସ୍ଥାନରେ ପ୍ରଦର୍ଶନ କରାଯାଉ। ଉଲ୍ଲେଖ‌ଯୋଗ୍ୟ ଯେ ପାୱାର ନିକଟରେ ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ବିରୋଧୀ ଦଳଠାରୁ ଭିନ୍ନ ମତ ରଖିଥିଲେ। ପାୱାର ଆଦାନୀ ଗ୍ରୁପ୍‌କୁ ସମର୍ଥନ କରିଥିଲେ ଏବଂ ହିଣ୍ଡେନବର୍ଗ ରିପୋର୍ଟକୁ କଡ଼ା ସମାଲୋଚନା କରିଥିଲେ। ଏନେଇ ବିରୋଧୀ ମେଣ୍ଟରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଛି। କଂଗ୍ରେସର ଅଳକା ଲାମ୍ବା ଗତକାଲି ପାୱାରଙ୍କୁ ଲୋଭୀ କହିଥିଲେ।