ପ୍ରଧାନମନ୍ତ୍ରୀଙ୍କ ବିଦେଶ ନୀତି ସୁରକ୍ଷାକୈନ୍ଦ୍ରିକ: ଜୟଶଙ୍କର

ବୈଶ୍ବିକ କୂଟନୀତିରେ ନୂଆ ଧାରା ଆସିଛି, ଭାରତ ଯେକୌଣସି ସୁରକ୍ଷା ଚ୍ୟାଲେଞ୍ଜ ସାମ୍ନା କରିପାରିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷର ଶାସନ କାଳରେ ଦେଶର ସୁରକ୍ଷା ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହୋଇଛି ଏବଂ ସୀମାରେ ଭିତ୍ତିଭୂମି ବିକାଶ ଲକ୍ଷ୍ୟ ହାସଲରେ ପୂର୍ଣ୍ଣ ସଫଳତା ମିଳିଛି। ଭାରତ ନିଜର ସୁରକ୍ଷା ନେଇ କୌଣସି ସାଲିସ କରିନାହିଁ ଏବଂ ସୁରକ୍ଷା ରଣନୀତି ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ସର୍ବଦା କେନ୍ଦ୍ରରେ ରହିଆସିଛି ବୋଲି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ଭାରତ ଏବେ ଯେ କୌଣସି ସୁରକ୍ଷା ଚ୍ୟାଲେଂଜକୁ ସଫଳତାର ସହିତ ମୁକାବିଲା କରିପାରିବ । ଭାରତର ସାମରିକ ନୀତି କିଭଳି ପ୍ରଭାବଶାଳୀ ତାହା ଏବେ ପୂରା ବିଶ୍ବ ଦେଖୁଛି ବୋଲି ‘ମୋଦୀ@୨୦: ଡ୍ରିମ୍ସ ମିଟିଂ ଡେଲିଭରି’ ପୁସ୍ତକରେ ନିଜ ଅଧ୍ୟାୟ ସଂପର୍କରେ ଆଲୋକପାତ କରି ଜୟଶଙ୍କର ଏଭଳି ମତ ରଖିଛନ୍ତି। ଏକ ‘ପୋଡକାଷ୍ଟ୍‌’ରେ ବିଦେଶ ମନ୍ତ୍ରୀ ଭାରତର ବିଦେଶ ନୀତି ପରିଚାଳନା ପାଇଁ ମୋଦୀଙ୍କ ମାର୍ଗଦର୍ଶନକୁ ଭୂୟସୀ ପ୍ରଶଂସା କରି କହିଛନ୍ତି ଯେ ଆମ ବିଦେଶ ନୀତି ଏବେ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଏବେ ଏଭଳି ଏକ ବିଦେଶ ନୀତିର ନେତୃତ୍ବ ନେଉଛନ୍ତି ଯାହା ଅଧିକ ସୁରକ୍ଷାକୈନ୍ଦ୍ରିକ, ବିକାଶକୈନ୍ଦ୍ରିକ ଏବଂ ଜନକୈନ୍ଦ୍ରିକ ହୋଇପାରିଛି। ପ୍ରଧାନମନ୍ତ୍ରୀଙ୍କ ନୂତନ ଚିନ୍ତାଧାରା, ଆକାଂକ୍ଷା, ଦର୍ଶନ ଏବଂ ରଣନୀତି ବିଦେଶ ନୀତିକୁ ସମୃଦ୍ଧ କରିବା ସହ ବୈଶ୍ବିକ କୂଟନୀତିରେ ଏକ ନୂଆ ଧାରା ସୃଷ୍ଟି କରିଛି।

ଜୟଶଙ୍କର ୧୧ ବର୍ଷ ତଳେ ମୋଦୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତକୁ ମନେ ପକାଇ କହିଛନ୍ତି ଯେ ନଭେମ୍ବରେ ୨୦୧୧ରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ସେ (ଜୟଶଙ୍କର) ଚୀନ୍‌ରେ ଭାରତର ରାଷ୍ଟ୍ରଦୂତ ଥିଲେ। ବିଭିନ୍ନ ସମୟରେ ଦୂତବାସରେ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ବାଗତ କରିବା ସୁଯୋଗ ମିଳିଥାଏ। କିନ୍ତୁ ମୋଦୀଙ୍କ ଚୀନ୍‌ ଗସ୍ତ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ ଥିଲା। ମୋଦୀ ରାତି ଅଧରେ ଆସି ପହଞ୍ଚିଥିଲେ ଏବଂ ସକାଳ ୭ଟାରେ ପ୍ରଥମ କାର୍ଯ୍ୟକ୍ରମ ରଖିବାକୁ କହିଥିଲେ। ୩୦ ମିନିଟର୍‌ ଲଞ୍ଚ୍‌ ବ୍ରେକ୍‌ ସହ ସେ ୧୨ ଘଣ୍ଟା ନିରନ୍ତର କାମ କରୁଥିଲେ। ମୋଦୀ ଜୟଶଙ୍କରଙ୍କୁ କହିଥିଲେ ‘ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇପାରେ, କିନ୍ତୁ ପ୍ରଥମେ ମୁଁ ଭାରତର ନାଗରିକ। ମୁଁ ଯେତେବେଳେ ବିଦେଶ ଯାଏ ଜାତୀୟ ସ୍ବାର୍ଥ ହିଁ ମୋର ପ୍ରାଥମିକତା ରହିଥାଏ।’ ମୋଦୀ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କଠାରୁ କିଭଳି ‘ଭିନ୍ନ’ ସେ ବିଷୟରେ ଆଲୋକପାତ କରି ଜୟଶଙ୍କର କହିଛନ୍ତି ଯେ ମୋଦୀ ଗୁଜରାଟର ସ୍ଥାନୀୟ ପ୍ରସଙ୍ଗ ଅପେକ୍ଷା ଦେଶର ସୁରକ୍ଷା ଏବଂ ଚୀନ୍‌ ସହ ଭାରତର ସଂପର୍କ ଉପରେ ଅଧିକ ଗୁରୁତ୍ବ ଦେଇଥିଲେ।

ଜୟଶଙ୍କର କହିଛନ୍ତି, ସେ ବିଶ୍ୱାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସୀମା ଭିତ୍ତିଭୂମି’ ବିକାଶ ଯୋଜନା ସାକାର ହେବା ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ମୋଦୀ ବିଶ୍ବକୁ କେବଳ ଏକ ବଜାର ନୁହେଁ, ବରଂ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ଷେତ୍ର ଭାବେ ଗ୍ରହଣ କରନ୍ତି। ପ୍ରଧାନମନ୍ତ୍ରୀ ‘ଭାରତ ପ୍ରଥମ’ ନୀତିକୁ ପ୍ରଭାବଶାଳୀ ଢ଼ଙ୍ଗରେ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହା ବିଶ୍ବ ଦରବାରରେ ଭାରତର ମହତ୍ତ୍ବକୁ ପ୍ରତିପାଦିତ କରୁଛି ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର