ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’: ଔଷଧ ବି, ସତର୍କତା ବି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଉଭୟ ଔଷଧ ସେବନ ସହିତ ନିୟମ ପାଳନ କ୍ଷେତ୍ରରେ କଠୋରତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି। ମନ୍‌ କୀ ବାତ୍‌ର ୮୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ତାଙ୍କ ମନର କଥା ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରିଥିଲେ। ଦେଶର ଯୁବପିଢ଼ି ଏକ ବଡ଼ ପରିବର୍ତ୍ତନ ଦେଖୁଛନ୍ତି। ଆଜିର ଯୁବପିଢ଼ି ପୁରୁଣା ଉପାୟରେ ନୂଆ କିଛି କରିବାକୁ ଚାହୁଛନ୍ତି। ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରାଯିବା ପରେ ଯୁବବର୍ଗର ଅନେକ ବ୍ୟକ୍ତି ଏହି କ୍ଷେତ୍ର ପାଇଁ ଆଗ୍ରହ ଦେଖାଇଛନ୍ତି ଏବଂ ଏ କ୍ଷେତ୍ରକୁ ଆଗେଇ ଆସିଛନ୍ତି। ଛୋଟ ଛୋଟ ସହରରେ ମଧ୍ୟ ଆଜି ଷ୍ଟାର୍ଟଅପ୍‌ ସଂସ୍କୃତିର ପ୍ରସାର ଘଟିଛି। ଏ କ୍ଷେତ୍ରରେ ଉଜ୍ଜ୍ବଳ ଭବିଷ୍ୟତ ଥିବା ଲକ୍ଷଣ ମୁଁ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସଂସ୍କୃତ ଭାଷାର ମହନୀୟତା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ବଖାଣିଛନ୍ତି। ସୁନ୍ଦର ଏବଂ ସହଜ ଭାଷା ସଂସ୍କୃତ ଦେଶର ଚିନ୍ତାଧାରା, ସାହିତ୍ୟ, ଜ୍ଞାନ, ବିଜ୍ଞାନ ଏବଂ ଏକତାକୁ ପରିପାଳିତ କରିବା ସହିତ ସମୃଦ୍ଧ କରିଛି। ସଂସ୍କୃତ ସାହିତ୍ୟରେ ମାନବତା ଏବଂ ଜ୍ଞାନର ଦିବ୍ୟ ଦର୍ଶନ ରହିଛି, ଯାହାକି ପ୍ରତ୍ୟେକଙ୍କୁ ଆକର୍ଷିତ କରିପାରିବାର କ୍ଷମତା ରଖିଛି। ନିକଟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନୂଆ ପଦକ୍ଷେପ ଦ୍ବାରା ସଂସ୍କୃତ ସଂପର୍କରେ ନୂଆ ସଚେତନତା ସୃଷ୍ଟି ହୋଇଛି। ଏ ଦିଗରେ ଆମର ଉଦ୍ୟମକୁ ଆହୁରି ବଢ଼ାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ଆଗାମୀ ଦିନରେ ପାଳିତ ହେବାକୁ ଥିବା ବିଶ୍ବକର୍ମା ଜୟନ୍ତୀ ସଂପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି। ଭାରତରେ ଭଗବାନ ବିଶ୍ବକର୍ମାଙ୍କୁ ସୃଜନଶକ୍ତି ଭାବେ ବିବେଚନା କରାଯାଇଥାଏ। ଉକ୍ତ ପୂଜାକୁ ଏଭଳି ଭାବେ ପାଳିତ କରାଯିବା ଦରକାର ଯାହାଦ୍ବାରା ସମସ୍ତେ କୁଶଳୀ ବ୍ୟକ୍ତିଙ୍କ ଗୁରୁତ୍ବକୁ ବୁଝିବା ସହିତ ସେମାନଙ୍କୁ ସମ୍ମାନ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶେଷରେ ପ୍ରଧାନମନ୍ତ୍ରୀ ମନ୍‌ କୀ ବାତ୍‌ରେ ଦେଶରେ ବର୍ତ୍ତମାନ ସୁଦ୍ଧା ୬୩ କୋଟିରୁ ଅଧିକ କରୋନା ଟିକା ଡୋଜ୍ ଲୋକଙ୍କୁ ଦିଆଯାଇସାରିଲାଣି ବୋଲି ସୂଚନା ଦେଇଛନ୍ତି। ଏହାସତ୍ତ୍ବେ ଆମକୁ କରୋନା ପାଇଁ ଅଧିକ ସତର୍କ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର