ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ ତ୍ରିରଙ୍ଗାର ଅପମାନରେ ସାରା ଦେଶ ବ୍ୟଥିତ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଆନ୍ଦୋଳନରତ ଚାଷୀମାନଙ୍କ ଟ୍ରାକ୍ଟର ଶୋଭାଯାତ୍ରା ଅବସରରେ ଦେଖାଦେଇଥିବା ହିଂସାକାଣ୍ଡ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ମୁହଁ ଖୋଲିଛନ୍ତି। ଲାଲକିଲ୍ଲାରେ ଯେଭଳି ଜାତୀୟ ପତାକା ତ୍ରିରଙ୍ଗାର ଅପମାନ କରାଗଲା ସେଥିରେ ସମଗ୍ର ଦେଶ ବ୍ୟଥିତ ବୋଲି ସେ କହିଛନ୍ତି। ପ୍ରଥମେ ସେ ମହାମାରୀ କୋଭିଡ୍‌ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିରେ ବ୍ୟବହୃତ ଟିକା ଦୁଇଟି ଭାରତରେ ପ୍ରସ୍ତୁତ ହୋଇଥିବାରୁ ଦେଶ ଆତ୍ମନିର୍ଭର ହେବା ସହ ଆତ୍ମଗୌରବ ଲାଭ କରିପାରିଛି।

ଦେଶରେ ଏବେ ବିଶ୍ବର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ମାତ୍ର ୧୫ ଦିନ ଭିତରେ ଆମେ ୩୦ ଲକ୍ଷ ହିତାଧିକାରୀଙ୍କୁ ଟିକା ଦେଇ ପାରିଛନ୍ତି ବୋଲି ସେ କହିଛନ୍ତି। ଗତବର୍ଷ ଆମକୁ ଅସାଧାରଣ ସଂଯମ ଓ ଉତ୍ସାହ ପ୍ରଦର୍ଶନ କରିବାକୁ ପଡ଼ିଥିଲା। ଆଗାମୀ ଦିନଗୁଡ଼ିକୁ ଆମେ ଆଶା ଓ ନବୀନତାରେ ଭରିଦେବାକୁ ହେବ। ଚଳିତ ବର୍ଷ କଠିନ ପରିଶ୍ରମ ବଳରେ ଆମକୁ ଆମର ଲକ୍ଷ୍ୟ ସାଧନ କରିବାକୁ ହେବ ବୋଲି ସେ କହିଛନ୍ତି। ସେହିପରି ରାମାୟଣ କିପରି ବିଶ୍ବର ବିଭିନ୍ନ ପ୍ରାନ୍ତରେ ଗଭୀର ଚିହ୍ନ ଛାଡ଼ିପାରିଛି ତାହାର ଉଦାହରଣ ଦେବାକୁ ଯାଇ ସେ ବ୍ରାଜିଲ ରାଷ୍ଟ୍ରପତିଙ୍କ ହନୁମାନ ଚିତ୍ର ସମ୍ବଳିତ ବାର୍ତ୍ତା କଥା ଉଲ୍ଲେଖ କରିଛନ୍ତି। ଏହି ଅବସରରେ ସେ ତରୁଣ ଲେଖକମାନଙ୍କୁ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଲେଖିବା ପାଇଁ ଆହ୍ବାନ କରିଛନ୍ତି।

ଅପରପକ୍ଷେ, ଏହି ମନ୍‌ କୀ ବାତ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଅନେକ ଅଭିନବ କଥା ଜାଣିବାକୁ ପାଉଛନ୍ତି ବୋଲି ସ୍ବୀକାର କରିଛନ୍ତି। ହାଇଦ୍ରାବାଦର ପରିବା ବଜାର(ବାଉଏନପାଲ୍ଲି)ରେ କିପରି ବର୍ଜ୍ୟବସ୍ତୁରୁ ବିଦ୍ୟୁତ୍‌ ଶକ୍ତି ବାହାରୁଛି, ଯୁପିର ବାଦାଉଁ ପଞ୍ଚାୟତରେ କିପରି ଦୂଷିତ ଜଳକୁ ବିଶୁଦ୍ଧ କରାଯାଉଛି, ଅରୁଣାଚଳପ୍ରଦେଶରେ କିପରି ଲୋକେ ପରିବେଶ ଅନୁକୂଳ କାଗଜ(ମନ୍‌ ସୁଗୁ) ତିଆରି କରୁଛନ୍ତି, କେରଳର କୋଟ୍ଟାୟମ୍‌ରେ ଭିନ୍ନକ୍ଷମ ଏନ୍‌ ଏସ୍‌ ରାଜନ୍‌ କିପରି ବେମ୍ବାନାଡ଼ ହ୍ରଦରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରୁଛନ୍ତି ସେ ସବୁ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ନିକଟରେ ଆମେରିକାର ସାନ୍‌ ଫ୍ରାନ୍ସିସ୍କୋରୁ ବେଙ୍ଗାଲୁରୁ ଯାଏ ମହିଳା ବିମାନଚାଳିକାମାନେ ବିମାନ ଧରି ଆସିଥିବା ବେଳେ ସାଧାରଣତନ୍ତ୍ର ଦିବସ ପରେଡ୍‌ର ନେତୃତ୍ବ ମହିଳା ଅଧିକାରୀ ହିଁ ନେଇଥିଲେ। ଯେ କୌଣସି କ୍ଷେତ୍ର ହେଉ ପଛକେ, ଆମ ମହିଳାମାନେ ଆଗେଇ ଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର