ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ମୋଦୀଙ୍କର ଆଜି ପରଲୋକ ହୋଇଛି। ଅସୁସ୍ଥ ହୋଇପଡ଼ିବାରୁ ଗତ ବୁଧବାର ତାଙ୍କୁ ଅହମଦାବାଦର ୟୁ ଏନ୍ ମେହେଟ୍ଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ସେଦିନ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଡାକ୍ତରଖାନା ଯାଇ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ସେ ଗୁରୁବାର ରାତି ୩ଟା ୩୦ ମିନିଟ୍ରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ମା’ ହୀରାବେନଙ୍କ ମୃତ୍ୟୁ ସଂପର୍କରେ ପ୍ରଥମେ ଟ୍ବିଟ୍ କରିଥିଲେ। ଏକ ଗୌରବମୟ ଶତାବ୍ଦୀ ଈଶ୍ବରଙ୍କ ଚରଣ ତଳେ ବିଶ୍ରାମ ନେଇଛି। ମା’ଙ୍କ ଠାରେ ମୁଁ ସର୍ବଦା ତ୍ରିମୂର୍ତ୍ତିର ଅନୁଭବ କରିଛି। ମା’ଙ୍କ ଭିତରେ ଏକ ତପସ୍ବୀର ଯାତ୍ରା, ନିଷ୍କାମ କର୍ମଯୋଗୀର ପ୍ରତୀକ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ଜୀବନ ସାମିଲ ରହିଥିଲା।
ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କର ୧୦୦ତମ ଜନ୍ମିଦନ ପାଳନ ହୋଇଥିଲା। ଏହିଦିନ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିଥିଲେ। ସେଦିନ ମା’ ତାଙ୍କୁ କହିଥିବା କଥାକୁ ମନେ ପକାଇଛନ୍ତି ମୋଦୀ। ବୁଦ୍ଧିମତାର ସହିତ କାର୍ଯ୍ୟ କରିବାକୁ, ଶୁଦ୍ଧତାର ସହ ଜୀବନ ବଞ୍ଚିବାକୁ ହୀରାବେନ ତାଙ୍କୁ ସେଦିନ କହିଥିଲେ। ଏହା ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି ମୋଦୀ ତାଙ୍କ ଟ୍ବିଟ୍ରେ କହିଛନ୍ତି।
/sambad/media/post_attachments/wp-content/uploads/2022/12/hiraben-300x247.jpg)
ପ୍ରଧାନମନ୍ତ୍ରୀ ମୋଦୀ ସିଧା ଅହମଦାବାଦରେ ପହଞ୍ଚି ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ହୀରାବେନଙ୍କୁ ଅନ୍ତିମ ସତ୍କାର ପାଇଁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସହିତ ତାଙ୍କ ଭାଇ ଓ ସଂପର୍କୀୟମାନେ ହୀରାବେନଙ୍କ ମରଶରୀରକୁ କାନ୍ଧରେ ନେଇଥିଲେ। ଶବବାହକ ଯାନରେ ବସି ପ୍ରଧାନମନ୍ତ୍ରୀ ମା’ଙ୍କ ମରଶରୀରର ସହିତ ଗାନ୍ଧୀନଗରର ସେକ୍ଟର ୩୦ ଶ୍ମଶାନରେ ପହଞ୍ଚିଥିଲେ। ଶ୍ମଶାନରେ ମା’ଙ୍କୁ ସେ ଏବଂ ତାଙ୍କ ବଡ଼ଭାଇ ସୋମଭାଇ ମୋଦୀ ମୁଖାଗ୍ନି ଦେଇଥିଲେ। ପୁଅଭାବେ ନିଜ ଦାୟିତ୍ବ ସଂପାଦନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରୀ କାର୍ଯ୍ୟ ସଂପାଦନ ପାଇଁ ସିଧା ଗୁଜରାଟ ରାଜଭବନରେ ପହଞ୍ଚିଥିଲେ। ସେଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଲକାତାଠାରେ ଆୟୋଜିତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ। ପ୍ରଧାନମନ୍ତ୍ରୀଙ୍କ ତଳେ ଅଛନ୍ତି ଭାଇ ପ୍ରହଲ୍ଲାଦ ମୋଦୀ, ତାପରେ ଭଉଣୀ ବାସନ୍ତୀବେନ ଏବଂ ସବା ସାନ ଭାଇ ହେଉଛନ୍ତି ପଙ୍କଜ ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସବା ବଡ଼ ଭାଇଙ୍କ ନାମ ସୋମଭାଇ ମୋଦୀ ଏବଂ ସେ ଏକ ବୃଦ୍ଧାଶ୍ରମ ଚଳାଉଛନ୍ତି। ଦ୍ବିତୀୟ ଭାଇ ହେଉଛନ୍ତି ଅମୃତଭାଇ ମୋଦୀ। ମା’ ହୀରାବେନ ସାନ ପୁଅ ପଙ୍କଜଙ୍କ ସହିତ ଗାନ୍ଧୀନଗରରେ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/pm-modis-mother-1.jpg)