ଭାରତ ମହାସାଗର ଅଞ୍ଚଳ‌ର ନିରାପତ୍ତା ଲାଗି ମାଳଦ୍ବୀପ ସୁରକ୍ଷାକର୍ମୀଙ୍କୁ ତାଲିମ ଦେବ ଭାରତ

ମାଳଦୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବାର୍ତ୍ତା

ନୂଆଦିଲ୍ଲୀ: ମଙ୍ଗଳବାର ମାଳଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ୍ ଇବୁ ସୋଲିହଙ୍କ ଭାରତ ଗସ୍ତ ଅବସରେ ମାଳଦ୍ବୀପ ସହ ଭାରତର ଛଅଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମାଳଦ୍ବୀପ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରେସ୍ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, କିଛି ବର୍ଷ ଭିତରେ ଆମର ବନ୍ଧୁତାରେ ବୃଦ୍ଧି ଘଟିଛି। ବୈଶ୍ୱିକ ମହାମାରୀ ସତ୍ତ୍ୱେ ଆମର ସହଯୋଗ ଏକ ବିସ୍ତୃତ ଭାଗିଦାରିତାର ସୁଯୋଗ ଦୁଇଦେଶକୁ ଦେଇଛି।

ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୋଲିହଙ୍କ ସହ ଅନେକ ବିଷୟରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଉଭୟ ନେତା ସମୀକ୍ଷା କରିବା ସହ ଗୁରୁତ୍ବପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ମତବିନିମୟ କରିଛନ୍ତି। ମହାନ୍ ମାଲେ ସଂଯୋଗୀକରଣ ପ୍ରକଳ୍ପ ଆରମ୍ଭକୁ ଦୁଇ ନେତା ସ୍ୱାଗତ କରିଛନ୍ତି। ଏହା ମାଳଦ୍ବୀପର ବୃହତ୍ତମ ଭିତ୍ତିଭୂମି ପ୍ରକଳ୍ପ ହେବ। ଆଜି ମଧ୍ୟ ବୃହତ୍ ମାଲେରେ ୪୦୦୦ ସାମାଜିକ ଗୃହ ୟୁନିଟ୍ ନିର୍ମାଣ ନେଇ ସମୀକ୍ଷା କରାଯାଇଥିଲା। ଏଥିପାଇଁ ଭାରତ ଅତିରିକ୍ତ ୨୦୦୦ ସାମାଜିକ ଗୃହ ୟୁନିଟ୍ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ମହାସାଗର ଏପାଖରୁ ସେପାଖ ପର୍ଯ୍ୟନ୍ତ ଅପରାଧ, ଆତଙ୍କବାଦ ଓ ମାଦକଦ୍ରବ୍ୟ ଚୋରାଚାଲାଣ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି। ସେହି ଦୃଷ୍ଟିରୁ ଭାରତ ଓ ମାଳଦ୍ବୀପ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ଦିଗରେ ସୁସମ୍ପର୍କ ସମଗ୍ର ଅଞ୍ଚଳର ସ୍ଥିରତା ପାଇଁ ଅବଶ୍ୟମ୍ଭାବୀ। ଏଥିରେ ମାଳଦ୍ବୀପର ସୁରକ୍ଷା ଅଧିକାରୀଙ୍କ ସାମର୍ଥ୍ୟ ବୃଦ୍ଧି ଓ ତାଲିମ ମଧ୍ୟ ଅନ୍ତର୍ଭୁକ୍ତ।

ଭାରତ ମାଳଦ୍ବୀପ ସୁରକ୍ଷା ବାହିନୀକୁ ୨୪ଟି ଗାଡ଼ି ଓ ଗୋଟିଏ ନୌଭେଳା ପ୍ରଦାନ କରିବ ଏବଂ ମାଳଦ୍ବୀପର ୬୧ଟି ଦ୍ୱୀପରେ ପୁଲିସ ସୁବିଧା ପାଇଁ ସହଯୋଗ କରିବ ବୋଲି ମୋଦୀ ସୂଚନା ଦେଇଛନ୍ତି। ଆଜି ଭାରତ-ମାଳଦୀପ ଭାଗିଦାରିତା କେବଳ ଦୁଇ ଦେଶର ନାଗରିକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁନାହିଁ, ବରଂ ଏହି ଅଞ୍ଚଳର ଶାନ୍ତି, ସମୃଦ୍ଧି ଓ ସ୍ଥିରତାର ଏକ ଉତ୍ସ ପାଲଟିଛି। ମାଳଦୀପର ଯେକୌଣସି ଜଟିଳ ପରିସ୍ଥିତି ଓ ଆବଶ୍ୟକତା ପାଇଁ ଭାରତ ପ୍ରଥମେ ବନ୍ଧୁତ୍ୱର ହାତ ବଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର