ଅହମଦାବାଦ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନରେନ୍ଦ୍ର ମୋଦୀଙ୍କୁ ‘ରାବଣ’ ବୋଲି କହିବା ପରେ ଗୁରୁବାର ତା’ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ। ଗୁଜରାଟର ପାଞ୍ଚମହଲ ଜିଲ୍ଲା ଅନ୍ତର୍ଗତ କାଲୋଲ ସହରରେ ଏକ ରୢାଲିରେ ଉଦ୍ବୋଧନ ଦେଇ ମୋଦୀ କହିଲେ- ‘ମୋଦୀକୁ କିଏ ବେଶି ଗାଳି ଦେଇପାରିବ ସେଥିପାଇଁ କଂଗ୍ରେସରେ ପ୍ରତିଯୋଗିତା ଚାଲିଛି।’ ପ୍ରଧାନମନ୍ତ୍ରୀ କହିଲେ ଯେ ଯେଉଁମାନେ ରାମଙ୍କ ଅସ୍ତିତ୍ବକୁ ବିଶ୍ବାସ କରନ୍ତି ନାହିଁ ସେମାନେ ରାମାୟଣରୁ ରାବଣ ଚରିତ୍ରର ଉଦାହରଣ ଦେଉଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି, ମୋ ପ୍ରତି ଏପରି ଶବ୍ଦ ପ୍ରୟୋଗ କରିବା ପରେ ସେମାନେ କ୍ଷମା ମାଗିବା ଦୂରେ ଥାଉ, ଅନୁତାପ ବି କରିନାହାନ୍ତି।
‘କିଛିଦିନ ତଳେ ଜଣେ କଂଗ୍ରେସ ନେତା କହିଲେ ମୋଦୀ କୁକୁର ପରି ମରିବେ, ଆଉ ଜଣେ କହିଲେ ମୋଦୀ ହିଟଲର ପରି ମରିବେ। ଆଉ ଜଣେ କହିଲେ, ମୁଁ ଯଦି ସୁଯୋଗ ପାଆନ୍ତି, ନିଜେ ମୋଦୀଙ୍କୁ ମାରିଦିଅନ୍ତି... କିଏ କହୁଛି ରାବଣ, କିଏ କହୁଛି ରାକ୍ଷସ, ପୁଣି କିଏ କହୁଛି ଅସରପା’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ- ‘ଆମେ ଆପଣଙ୍କ (ମୋଦୀଙ୍କ) ମୁହଁ ନଗମ ନିର୍ବାଚନରେ, ଏମ୍ଏଲ୍ଏ ନିର୍ବାଚନରେ ବା ଏମ୍ପି ନିର୍ବାଚନରେ ସବୁଠି ଦେଖୁଛୁ। ଆପଣଙ୍କର କ’ଣ ରାବଣ ପରି ୧୦୦ଟା ମୁଣ୍ଡ ଅଛି?’
ଡିସେମ୍ବର ୫ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲୋଲଠାରେ ଏକ ନିର୍ବାଚନୀ ରୢାଲିରେ ଉଦ୍ବୋଧନ ଦେବା ବେଳେ ମୋଦୀ କହିଥିଲେ- ମୁଁ ଖଡ଼ଗେଜୀଙ୍କୁ ସମ୍ମାନ ଦେଉଛି। ସେ କହିବେ ତାଙ୍କୁ କ’ଣ କହିବାକୁ କୁହାଯାଇଥିଲା? କଂଗ୍ରେସ ଦଳ ଜାଣିନି ଯେ ଏହା ରାମଭକ୍ତଙ୍କ ଗୁଜରାଟ। ରାମଭକ୍ତଙ୍କ ଭୂମିରେ ସେମାନଙ୍କୁ କହିବାକୁ କୁହାଯାଇଥିଲା ଯେ ମୋଦୀ ହେଉଛନ୍ତି ୧୦୦ ମୁଣ୍ଡବାଲା ରାବଣ। ଆମେ ଜାଣୁ କଂଗ୍ରେସ ରାମଭକ୍ତଙ୍କୁ ଗ୍ରହଣ କରେ ନାହିଁ କିମ୍ବା ଏହା ରାମ ମନ୍ଦିର ଓ ରାମ ସେତୁରେ ବିଶ୍ବାସ କରେ ନାହିଁ। ସେମାନେ ମୋତେ ଗାଳି ଦେବାରେ ମୁଁ ବିସ୍ମିତ ନୁହେଁ। କିନ୍ତୁ ମୁଁ ବିସ୍ମିତ ଯେ କଂଗ୍ରେସ ଏଥିପାଇଁ ଦୁଃଖ ପ୍ରକାଶ କରୁନି। ସେ (ଖଡ଼ଗେ) ରାଗରେ ଏମିତି କହିଦେଇଥିବେ। ଗୋଟିଏ ପରିବାରର ତୋଷାମଦି କରିବା କଂଗ୍ରେସର ସ୍ବଭାବ ହୋଇଯାଇଛି।