ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୋଜଗାର ମେଳାରେ ନବନିଯୁକ୍ତଙ୍କୁ ୫୧,୦୦୦ ନିଯୁକ୍ତିପତ୍ର ବଣ୍ଟନ କରିବା ସହ ସେମାନଙ୍କୁ ଆଭାସୀଭାବେ ଉଦ୍‌ବୋଧନ ଦେଇ ଏକବିଂଶ ଶତାବ୍ଦୀ ପାଇଁ ନୂତନ ଚିନ୍ତାଧାରା ଓ ଉନ୍ନତ ପ୍ରଯୁକ୍ତି ସହ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ ମହିଳା ବିଲ୍‌କୁ ଏକ ଐତିହାସିକ ନିଷ୍ପତ୍ତି, ଯାହା ମହିଳାମାନଙ୍କ ସଶକ୍ତୀକରଣରେ ସାହାଯ୍ୟ କରିବ ବୋଲି କହିଥିଲେ। ଏଥରର ରୋଜଗାର ମେଳାରେ ନବନିଯୁକ୍ତଙ୍କ ମଧ୍ୟରେ ଅଧିକ ମହିଳା ଥିବା ମଧ୍ୟ ସେ ସୂଚନା ଦେଇଥିଲେ। ରୋଜଗାର ମେଳା ହେଉଛି କେନ୍ଦ୍ର ସରକାରଙ୍କର ଏକ ନିଯୁକ୍ତି ପ୍ରଦାନ ଅଭିଯାନ, ଯେଉଁଥିରେ ଦେଶରେ ଖାଲି ରହିଥିବା ପଦବିଗୁଡ଼ିକ ପୂରଣ ପାଇଁ ମିସନ ମୋଡ୍‌ରେ ଏକ ନିୟୁତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ଲାଗି ଲକ୍ଷ୍ୟ ରଖାଯାଇଛି।

Advertisment

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଦେଶ ଐତିହାସିକ ନିଷ୍ପତ୍ତି ନେଉଛି। କିଛିଦିନ ତଳେ ମହିଳା ସଂରକ୍ଷଣ ବିଲ୍ ଉଭୟ ସଦନରେ ବିପୁଳ ଭୋଟ୍‌ରେ ଗୃହୀତ ହେଲା। କେଇ ଦଶନ୍ଧି ତଳେ ଏଥିପାଇଁ ଦାବି କରାଯାଇଥିଲା। ଆଜି ମହିଳାମାନେ ମହାକାଶରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରୁଛନ୍ତି। ଦେଶରେ ପରିବର୍ତ୍ତନ ଆଣିବା ପାଇଁ ଆମ ଝିଅମାନେ ଆଗକୁ ବଢ଼ୁଛନ୍ତି ବୋଲି ମୋଦୀ କହିଥିଲେ। ଆଉ କିଛି ବର୍ଷ ଭିତରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଆମେ ଚନ୍ଦ୍ରରେ ତ୍ରିରଙ୍ଗା ଉଡ଼େଇଛୁ। ଏକବିଂଶ ଶତାବ୍ଦୀ ପାଇଁ ଆମେ ନୂତନ ଚିନ୍ତାଧାରା ନେଇ କାମ କରିବା ଉଚିତ। ନବଭାରତ ଓ ଏହି ସରକାରଠାରୁ ବହୁତ କିଛି ଆଶା କରାଯାଉଛି ବୋଲି ସେ କହିଥିଲେ। ସରକାରର ଦକ୍ଷତାରେ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିକୁ ଆପଣେଇବା ଉପରେ ମୋଦୀ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ, ଆଗରୁ ରେଳ ଟିକେଟ୍ କିଣିବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା। ଏବେ ଘରେ ବସି ଅନଲାଇନରେ ସେହି କାମ କରାଯାଉଛି। ଆଧାର କାର୍ଡ, ଇ-କେୱାଇସି, ଡିଜିଲକର ଦେଶରେ ଡକୁମେଣ୍ଟେସନର ଧାରା ବଦଳାଇ ଦେଇଛି। ପ୍ରଯୁକ୍ତିର ବ୍ୟବହାର ଯୋଗୁ ଦୁର୍ନୀତି ଓ ଜଟିଳତା ହ୍ରାସ ପାଇଛି ଏବଂ ବିଶ୍ବସନୀୟତା ବୃଦ୍ଧି ପାଇଛି ବୋଲି ସେ କହିଥିଲେ।