ଜିଲ୍ଲାପାଳଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନ୍‌ସିଂ: କୋରାପୁଟରେ ବାଲ୍ୟ ବିବାହରେ ଅଙ୍କୁଶ

ନୂଆଦିଲ୍ଲୀ : ଭିଡିଓ କନଫରେନ୍‌ସିଂ ଜରିଆରେ ଆଜି ବିଭିନ୍ନ ରାଜ୍ୟର ଜିଲ୍ଲାପାଳଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଦେଶର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳ କ୍ରିୟାନ୍ବୟନ ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନ କରିଥିଲେ। ଏହି ସବୁ ଜିଲ୍ଲାର କିଛି ସଫଳ କାର୍ଯ୍ୟକ୍ରମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଉପସ୍ଥାପନ କରାଯାଇଥିବା ସଫଳ କାର୍ଯ୍ୟକ୍ରମ ମଧ୍ୟରେ କୋରାପୁଟର ‘ମିସନ ଅପରାଜିତା’ ସ୍ଥାନ ପାଇଥିଲା। କୋରାପୁଟରେ ବାଲ୍ୟ ବିବାହ ଉପରେ କିଭଳି ଅଙ୍କୁଶ ଲଗାଯାଇ ପାରିଛି ସେ ସମ୍ପର୍କରେ ଶ୍ରୀ କାନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅବଗତ କରିଥିଲେ। ଏହା ସହ ଅନ୍ୟାନ୍ୟ ରାଜ୍ୟର ଆକାଂକ୍ଷୀ ଜିଲ୍ଲାମାନଙ୍କର ‌କେତେକ ସଫଳ ଉଦାହରଣ ମଧ୍ୟ ଉପସ୍ଥାପନ କରାଯାଇଥିଲା। ବୈଠକରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଆକାଂକ୍ଷୀ ଜିଲ୍ଲାମାନଙ୍କର ପ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ଏହି ଅବସରରେ ଜିଲ୍ଲା ଅଧିକାରୀମାନେ ତୃଣମୂଳ ସ୍ତରରେ ବିକାଶ ପ୍ରତି ଧ୍ୟାନ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ଆଗକୁ ବଢ଼ା‌ଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ସମ୍ବୋଧନ କରିବା ଅବସରରେ କହିଥିଲେ। ଜିଲ୍ଲାଗୁଡ଼ିକରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ବର୍ତ୍ତମାନର ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳମାନଙ୍କ ଠାରୁ ମତାମତ ନେଇଥିଲେ। ପ୍ରଧାନମନ୍ତ୍ରୀ ୫ ଜିଲ୍ଲାପାଳଙ୍କ ସହିତ ସେମାନଙ୍କର ଜିଲ୍ଲାର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର