ନୂଆଦିଲ୍ଲୀ: ବହୁ-ପ୍ରତୀକ୍ଷିତ ରାମମନ୍ଦିର ପ୍ରତିଷ୍ଠା ଉତ୍ସବର ୬ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ଲେପାକ୍ଷୀସ୍ଥିତ ବୀରଭଦ୍ର ମନ୍ଦିର ପରିଦର୍ଶନ କରିଛନ୍ତି। ରାମାୟଣ କାହାଣୀରେ ବୀରଭଦ୍ର ମନ୍ଦିରର ଗୁରୁତ୍ବ ରହିଥିବା ବେଳେ ଏହାର ବିଶେଷ ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ବ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ପ୍ରାର୍ଥନା କରିବା ସହ ରଙ୍ଗନାଥ ରାମାୟଣ ଶ୍ରବଣ କରିଥିଲେ। ତେଲୁଗୁ ଭାଷାରେ ବିଶିଷ୍ଟ କବି ରଙ୍ଗନାଥଙ୍କ ଦ୍ବାରା ଏହି ରାମାୟଣ ଲିଖିତ।
କିମ୍ବଦନ୍ତୀ ଅନୁସାରେ ରାବଣ ସୀତାଙ୍କୁ ହରଣ କରିନେବା ସମୟରେ ଆକାଶମାର୍ଗରେ ଜଟାୟୁ ତାକୁ ବାଧା ଦେଇଥିଲା। ଜଟାୟୁ ସହ ରାବଣର ଘମାଘୋଟ ଯୁଦ୍ଧ ହୋଇଥିଲା। ଶେଷରେ ରାବଣର ଚନ୍ଦ୍ରହାସ ଖଡ୍ଗର ପ୍ରହାରରେ ଜଟାୟୁର ଗୋଟିଏ ପକ୍ଷ ଛିଣ୍ଡିପଡ଼ିବାରୁ ସେ ଏହି ସ୍ଥାନରେ ତଳେ ପଡ଼ିଯାଇଥିଲା, ଯେଉଁଠି ବୀରଭଦ୍ର ମନ୍ଦିର ଅବସ୍ଥିତ। ପରେ ଶ୍ରୀରାମ ଏଠାକୁ ଆସି ଜଟାୟୁଠାରୁ ସମସ୍ତ ବିବରଣ ଶୁଣିଥିଲେ ଏବଂ ଏହି ସ୍ଥାନରେ ଜଟାୟୁର ଅନ୍ତ୍ୟେଷ୍ଟି ସମ୍ପନ୍ନ କରିଥିଲେ। ଶ୍ରୀରାମଙ୍କ କୋଳରେ ମୃତ୍ୟୁବରଣ କରି ଜଟାୟୁ ମୋକ୍ଷଲାଭ କରିଥିଲା।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟତମ ପୌରାଣିକ ଗୁରୁତ୍ବ ଥିବା ସ୍ଥାନ ନାସିକ (ଯେଉଁଠି ସୂର୍ପଣଖାର ନାସିକା ଛେଦନ କରାଯାଇଥିଲା) ସ୍ଥିତ ଶ୍ରୀକାଳରାମ ମନ୍ଦିର ପରିଦର୍ଶନ କରିଥିଲେ। କୁହାଯାଏ ଭଗବାନ ରାମ ଏଠାରେ କାଳ (ଯମ) ରୂପ ଧାରଣ କରି ସହସ୍ରାଧିକ ରାକ୍ଷସଙ୍କୁ ନିପାତ କରିଥିଲେ। ଶ୍ରୀରାମ ମାତା ସୀତା ଓ ଲକ୍ଷ୍ମଣ ସହ ଏକଦା ନିବାସ କରିଥିବା ଗୋଦାବରୀ ତଟସ୍ଥ ପଞ୍ଚବଟୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରି ପ୍ରାର୍ଥନା କରିଥିଲେ। ସେଠାରେ ସେ ମରାଠୀ ଭାଷାରେ ଲିଖିତ ଭଗବାନ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର କାହାଣୀ ଶ୍ରବଣ କରିଥିଲେ। ପରେ ସେ କେରଳ ଗସ୍ତ କରି କୋଚିରେ ଏକ ରୋଡ୍ସୋ କରିଥିଲେ। ଆସନ୍ତାକାଲି ମୋଦୀ କେରଳର ଗୁରୁବାୟୁର ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।