ନୂଆଦିଲ୍ଲୀ : ଗୁଜରାଟରେ ଆଗକୁ ନିର୍ବାଚନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ଘନଘନ ଗସ୍ତ କରିବା ଓ ବିଭିନ୍ନ ପ୍ରକଳ୍ପର ଉନ୍ମୋଚନ ଓ ଶିଳାନ୍ୟାସ କରିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ମୋଦୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ସହ ୧୪,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।
ରବିବାର ଅପରାହ୍ଣ ୫ଟା ୩୦ରେ ମୋଦୀ ମହେସାଣା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସୋମବାର ଦିନ ପ୍ରାୟ ୧୧ଟା ବେଳେ ସେ ଭରୁଚ ଜିଳ୍ଲାର ଆମୋଦଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ। ସେହିଦିନ ଅପରାହ୍ଣ ୩ଟା ୧୫ରେ ସେ ଅହମଦାବାଦଠାରେ ‘ମୋଦୀ ଶୈକ୍ଷଣିକ ସଂକୁଳ’ର ଉଦ୍ଘାଟନ କରିବେ। ତା’ପରେ ଅପରାହ୍ଣ ସାଢ଼େ ୫ଟାବେଳେ ସେ ଜାମନଗରଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଅକ୍ଟୋବର ୧୧ ଦିନ ୨ଟା ୧୫ରେ ପ୍ରଧାନମନ୍ତ୍ରୀ ଅହମଦାବାଦସ୍ଥିତ ସିଭିଲ ହସ୍ପିଟାଲ ଅସରୱାଠାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାପରେ ସେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଯିବେ ଏବଂ ସେଠାରେ ଅପରାହ୍ଣ ୫ଟା ୪୫ରେ ମହାକାଳେଶ୍ବର ମନ୍ଦିରରେ ପୂଜା କରିବେ। ସେଠାରେ ସେ ସନ୍ଧ୍ୟା ୬ଟା ୩୦ରେ ଏକ ପ୍ରକଳ୍ପ ‘ଶ୍ରୀମହାକାଳ ଲୋକ’କୁ ଲୋକାର୍ପିତ କରିବେ। ଏହି ପ୍ରକଳ୍ପ ଦ୍ବାରା ମହାକାଳ ମନ୍ଦିର ଥିବା ଜିଲ୍ଲା ପରିସର ୭ ଗୁଣ ବୃଦ୍ଧି ପାଇବ। ଏହାପରେ ସନ୍ଧ୍ୟା ୭ଟା ୧୫ରେ ସେ ଏକ ଜନସମାବେଶକୁ ସମ୍ବୋଧିତ କରିବେ।
ଏହା ପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର ସୁରତଠାରେ ୩,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ।