କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାଷଷ୍ଠୀ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ଉତ୍ସବ ଉଦ୍ଘାଟନ କରିଛନ୍ତି। ଶଙ୍ଖଧ୍ବନି ମଧ୍ୟରେ ଧୋତି ପଞ୍ଜାବୀ ପରିହିତ ମୋଦୀ ଦୁଇହାତ ଯୋଡ଼ି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ, ଦୁର୍ଗାପୂଜା ଆମ ଦେଶର ଏକତା ଓ ପୂର୍ଣ୍ଣତାର ପର୍ବ। କରୋନା ସଙ୍କଟ ମଧ୍ୟରେ ଆୟୋଜିତ ଦୁର୍ଗାପୂଜାରେ ଭକ୍ତ, ଆୟୋଜକ ଅଦ୍ଭୁତ ସଂଯମ ରକ୍ଷା କରିଛନ୍ତି। ଭକ୍ତଙ୍କ ସଂଖ୍ୟା କମ୍ ଥିଲେ ବି ପୂଜାରେ ଭବ୍ୟତା ଓ ଦିବ୍ୟତା ଭରି ରହିଛି। ଏହା ହେଉଛି ବଙ୍ଗଳାର ଅସଲ ପରିଚୟ। ଏହି ଅବସରରେ ସେ ‘ଆତ୍ମନିର୍ଭର ଭାରତ’ ସଂକଳ୍ପରୁ ‘ସୋନାର ବାଂଲା’ ସଂକଳ୍ପ ପୂରଣ କରିବାକୁ ଆହ୍ବାନ ଦେଇ କହିଲେ, ରାଜ୍ୟକୁ ସମୃଦ୍ଧ ଏବଂ ସମ୍ପନ୍ନ ଉଚ୍ଚାଧିକାରର ଶିଖରରେ ପହଞ୍ଚାଇବାକୁ ହେବ।
ମହିଳା ସଶକ୍ତିକରଣଠାରୁ ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ଯୋଜନାର ଉଦାହରଣ ଦେଇ କହିଥିଲେ ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ବଙ୍ଗବାସୀଙ୍କ ବିକାଶ ପାଇଁ ସମସ୍ତ ସୁବିଧା ସୁଯୋଗ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଜନଧନ ଯୋଜନାରେ ୨୨ କୋଟି ମହିଳା ବ୍ୟାଙ୍କ ଖାତା ଖୋଲିଛନ୍ତି। ମୁଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ସହଜ କିସ୍ତିରେ ଋଣ ଦିଆଯାଇଛି। ତିନି ତଲାକ ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ ହୋଇଛି। ଦେଶର ସମୃଦ୍ଧି ପାଇଁ ନିଆ ଯାଇଥିବା ନୂଆ ସଂକଳ୍ପ ‘ଆତ୍ମନିର୍ଭର ଭାରତ’ରେ ନାରୀଶକ୍ତି ବି ବଡ଼ ଭୂମିକା ରହିଛି। ସମସ୍ତେ ମିଳିମିଶି ଆତ୍ମନିର୍ଭର ଭାରତ ସଂକଳ୍ପକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/modi-3.jpg)