ପ୍ରଧାନମନ୍ତ୍ରୀ, ମନ୍ତ୍ରୀଙ୍କ ହାତରେ ଝାଡ଼ୁ

ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ସ୍ୱଚ୍ଛତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିସନ୍‌ ଅଂଶସ୍ୱରୂପ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ‘ସ୍ୱଚ୍ଛତା ହି ସେବା’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ୧୫ ଦିନ ଧରି ଚାଲିବ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଏହା ଦେଶସାରା ଅନୁଷ୍ଠିତ ହେବ। ଅଭିଯାନ ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ନୂଆଦିଲ୍ଲୀର ବାହା ସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରମଦାନ କରିଥିଲେ। ଏଥିରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ପ୍ରମୁଖ ଯୋଗଦେଇଥିଲେ।

ଉଲ୍ଲେଖଯୋଗ୍ୟ, ମୋଦୀ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ମିସନ୍‌ ଆଗାମୀ ଅକ୍ଟୋବର ୨ ତାରିଖରେ ୪ ବର୍ଷ ପୂରଣ କରିବାକୁ ଯାଉଛି। ଏହା ଏବେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏ ବାବଦରେ ମୋଦୀ କହିଛନ୍ତି, ୬୦ ବର୍ଷ ମଧ୍ୟରେ ସ୍ୱଚ୍ଛତା କ୍ଷେତ୍ରରେ ଯାହା ହୋଇପାରି ନଥିଲା, ତାହା ମାତ୍ର ୪ ବର୍ଷ ମଧ୍ୟରେ ପୂରଣ ହୋଇପାରିଛି। ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଜି ଏକ ବିପ୍ଳବରେ ପରିଣତ ହୋଇଛି ଏବଂ ପ୍ରତ୍ୟେକ ବର୍ଗର ଲୋକ ଏଥିପାଇଁ ଆଗେଇ ଆସୁଛନ୍ତି। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀରେ ମିସନ୍‌କୁ ୪ ବର୍ଷ ପୂରିବ। ତେଣୁ ଆଜିଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଭାରତର ନାଗରିକମାନେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୋଦୀ ଆହ୍ଵାନ ଦେଇଛନ୍ତି। ଅପରପକ୍ଷରେ ମୋଦୀ ଆଜି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ, ଶିଳ୍ପପତି ରତନ୍‌ ଟାଟାଙ୍କ ସମେତ ଅନେକ ନାଗରିକଙ୍କ ସହିତ କଥା ହୋଇ ସ୍ୱଚ୍ଛ ଭାରତ ମିସନ୍‌ର ସଫଳତା ସଂପର୍କରେ ସୂଚନା ଦେଇଛନ୍ତି। ଏମିତି କି ଅମିତାଭ ମଧ୍ୟ ଅନେକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରମଦାନ କରିଥିବା ଜଣାଇଛନ୍ତି। ଆଗକୁ ମଧ୍ୟ ଏହି ଅଭିଯାନରେ ସେ ପ୍ରତ୍ୟକ୍ଷ ଭାବେ ସାମିଲ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ରତନ୍‌ ଟାଟା କହିଛନ୍ତି, ଭାରତର ମୂଳଦୁଆ ସୁଦୃଢ଼ କରିବାକୁ ହେଲେ ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଦରକାର ଏବଂ ସ୍ୱଚ୍ଛତା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାପରେ ମୋଦୀ ଦେଶର ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ସ୍ୱଚ୍ଛତାକୁ ନେଇ ଗାନ୍ଧିଜୀ ଦେଖିଥିବା ସ୍ୱପ୍ନକୁ ପୂରଣ ନିମନ୍ତେ ସେ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର