ନଭେମ୍ବର ୧୩ରେ ଭାରତ ଗସ୍ତରେ ଆସିବେ ବ୍ରିଟିଶ ଯୁବରାଜ ଚାର୍ଲସ

ଲଣ୍ଡନ : ବ୍ରିଟେନର ଯୁବରାଜ ଚାର୍ଲସ ଆସନ୍ତା ନଭେମ୍ବର ୧୩ ଓ ୧୪ ତାରିଖ ଭାରତ ଗସ୍ତରେ ଆସିବେ । ଏହି ସମୟରେ ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସମାରୋହରେ ଭାରତ-ବ୍ରିଟେନ ସଂପର୍କ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଅର୍ଥନୀତି ଆଦି ସଂପର୍କରେ ଆଲୋଚନା କରିବେ । ଏହା ସହିତ ସେ ଭାରତୀୟ ନେତାମାନଙ୍କ ସହ ଆଲୋଚନା କରିବେ । ଯୁବରାଜଙ୍କ ଶାରଦୀୟ ଗସ୍ତ କାର୍ଯ୍ୟକ୍ରମ ଅଧିନରେ ଏହି ଭାରତ ଗସ୍ତ ଅନ୍ତର୍ଭୁକ୍ତ ବୋଲି ତାଙ୍କ ଅଫିସ କ୍ଲେରେନ୍ସ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରିନ୍ସ ଅଫ େଓ୍ଵଲସ ନାମରେ ପ୍ରଖ୍ୟାତ ଚାର୍ଲସଙ୍କର ଏହା ହେଉଛି ୧୦ମ ଭାରତ ଗସ୍ତ । ଗତ ଦୁଇ ବର୍ଷରେ ଏହା ହେଉଛି ୨ୟ ଭାରତ ଗସ୍ତ । ଭାରତରେ ରହି ସେ ନିଜର ୭୧ ତମ ଜନ୍ମଦିନ ପାଳନ କରିବେ । ଯୁବରାଜଙ୍କ ଏହି ଭାରତ ଗସ୍ତବେଳେ ତାଙ୍କ ପତ୍ନୀ କାମିଲା (ଡଚେସ ଅଫ କର୍ନଓ୍ଵାଲ) ଅନୁପସ୍ଥିତ ରହିବେ । ତେବେ ଚାର୍ଲସଙ୍କ ନ୍ୟୁଜିଲାଣ୍ଡ ଗସ୍ତ ବେଳେ କାମିଲାତାଙ୍କ ସହିତ ଯୋଗଦେବେ । ଅକ୍ଟୋବର ୩ୟ ସପ୍ତାହରେ ବ୍ରିଟେନର ପ୍ରିନ୍ସ ଓ୍ଵିଲିୟମ୍ସ ଓ ଯୁବରାଣୀ କେଟ ମିଡଲଟନ ପାକିସ୍ତାନ ଗସ୍ତରେ ଯାଇଥିଲେ ।

ବିଗତ କିଛି ଦିନ ଧରି ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କରେ କିଛିଟା ଶିଥିଳତା ପ୍ରକାଶ ପାଇଛି । ପ୍ରିନ୍ସ ଚାର୍ଲସଙ୍କ ଭାରତ ଗସ୍ତ ପରେ ବ୍ରିଟେନ ଓ ଭାରତ ମଧ୍ୟରେ ସମ୍ପର୍କରେ ସୁଧାର ଆସିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର