ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ

ଲଣ୍ଡନ : ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ତେବେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚାର୍ଲସଙ୍କ ମୁଖପାତ୍ର କହିଛନ୍ତି । କେବଳ ସେ ନୁହେଁ ଯୁବରାଣୀ କାମିଲା ପାର୍କରଙ୍କର ମଧ୍ୟ ପରୀକ୍ଷା ହୋଇଥିଲା, କିନ୍ତୁ ସେ ସଂକ୍ରମିତ ହୋଇ ନଥିବା ଜଣାଯାଇଛି । ଡ୍ୟୁକ ଅଫ କର୍ନଓ୍ୱାଲ ଭାରେ ପରିଚିତ ପ୍ରିନ୍ସ ଚାର୍ଲସଙ୍କ ନମୁନା ପରୀକ୍ଷା ପଜିଟିଭ ବାହାରି ଥିଲେ ମଧ୍ୟ ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ସେ ନିଜର ସ୍ୱାଭାବିକ କାର୍ଯ୍ୟ କରୁଛନ୍ତି । ତେବେ ସେ ସ୍କଟଲାଣ୍ଡରେ ଏକାନ୍ତବାସରେ ରହୁଛନ୍ତି ବୋଲି ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି ।

କେଉଁ କାରଣରୁ ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ସଂକ୍ରମିତ ହେଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ ସେ ପ୍ରାୟ ପ୍ରତିଦିନ ବିଭିନ୍ନ ଲୋକଙ୍କୁ ଭେଟୁଥିବାରୁ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି କୁହାଯାଉଛି । ଚୀନର ଉହାନ ନଗରୀରୁ ବାହାରିଥିବା କରୋନା ଭାଇରସ ଦ୍ୱାରା ବୟସ୍କ ଲୋକମାନେ ଗୁରୁତରଭାବେ ସଂକ୍ରମିତ ହେଉଥିବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଯତ୍ନ ନିଆଯାଉଛି ।

ଏହା ପୂର୍ବରୁ ଲଣ୍ଡନର ବକିଂହାମ ପ୍ୟାଲେସର ଜଣେ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ରାଣୀ ଏଲିଜାବେଥଙ୍କୁ ଓ୍ୱିଣ୍ଡସର କ୍ୟାଷ୍ଟେଲଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।

ସମ୍ବନ୍ଧିତ ଖବର