ନୂଆଦିଲ୍ଲୀ: ଯେଉଁ ପ୍ୟାରିସ୍ ଟନେଲ୍ ଦେଇ ଯିବା ବେଳେ କାର୍ ଦୁର୍ଘଟଣାରେ ମାଆ ଯୁବରାଣୀ ଡାଏନାଙ୍କର ମୃତ୍ୟୁ ହୋଇଥିଲା, ସେହି ଟନେଲ୍ରେ ଠିକ୍ ସେତିକି ବେଗରେ ଯୁବରାଜ ହ୍ୟାରି କାର୍ରେ ଯାଇଥିବା କଥା ପ୍ରକାଶ ପ୍ରତୀକ୍ଷାରେ ଥିବା ଜୀବନୀ ‘ସ୍ପେୟାର୍’ରେ ଉଲ୍ଲେଖ ସେ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ମାଆଙ୍କ ମୃତ୍ୟୁକୁ କିଭଳି ମୁକାବିଲା କରିଥିଲେ ସେ କଥା ମଧ୍ୟ ଏହି ପୁସ୍ତକରେ ୩୮ ବର୍ଷିୟ ହ୍ୟାରି କହିଛନ୍ତି। ଏବଂ ତାହାର କିଛି ଅଂଶ ‘ସ୍ପେନ୍ ଟୁଡେ’ରେ ପ୍ରକାଶ ପାଇଛି।
ସେଥିରେ ଉଲ୍ଲେଖ ଅଛି, ୨୦୦୭ରେ ତାଙ୍କୁ ୨୩ ବର୍ଷ ହୋଇଥିବା ବେଳେ ‘ରଗ୍ବି ବିଶ୍ବକପ୍’ ଦେଖିବା ପାଇଁ ସେ ଫ୍ରାନ୍ସ୍ର ରାଜଧାନୀ ପ୍ୟାରିସ୍ରେ ଥିଲେ। ସେ ମନେପକାଇ କହିଛନ୍ତି ଯେ, କାର୍ରେ ବସାଇ ପ୍ୟାରିସ୍ ନଗରୀ ପରିକ୍ରମଣ କରାଯାଉଥିବା ବେଳେ ତାଙ୍କୁ ଆଲ୍ମା ଅଣ୍ଡର୍ପାସ୍ ଦେଇ ନିଆଯାଇଥିଲା। ୧୯୯୭ ମସିହା ଅଗଷ୍ଟ ୩୧ ତାରିଖ ଦିନ ସେହି ଅଣ୍ଡର୍ପାସ୍ରେ ହିଁ କାର୍ ଦୁର୍ଘଟଣାରେ ତାଙ୍କ ମାଆ ତଥା ବ୍ରିଟେନ୍ର ଯୁବରାଣୀ ଡାଏନାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ସମୟରେ ଡାଏନା ଯାଉଥିବା କାର୍ର ଗତି ବେଗ ଥିଲା ଘଣ୍ଟାପ୍ରତି ୬୫ କିଲୋମିଟର୍। ଟନେଲ୍ ମଧ୍ୟ ଦେଇ ସେତିକି ବେଗରେ କାର୍ ଚଳାଇ ନେବା ପାଇଁ ଯୁବରାଜ ହ୍ୟାରି ଡ୍ରାଇଭର୍ଙ୍କୁ ଅନୁରୋଧ କରିଥିଲେ।
ରିପୋର୍ଟରେ ଉଲ୍ଲେଖ ଅଛି, ମାଆ ଡାଏନା ଯେଉଁ ଟନେଲ୍ରେ ମରିଥିଲେ ଉକ୍ତ ଟନେଲ୍କୁ ସେ (ଡ୍ରାଇଭର୍) ଦେଖିଛନ୍ତି କି, ବୋଲି ହ୍ୟାରି ପଚାରିବାରୁ ଡ୍ରାଇଭର୍ ତଟସ୍ଥ ହୋଇଯାଇଥିଲେ। ତା’ପରେ ହ୍ୟାରି ତାଙ୍କୁ ସେ ଟନେଲ୍ ମଧ୍ୟ ଦେଇ ନେଇଯିବାକୁ ଅନୁରୋଧ କରିଥିଲେ।
ଉକ୍ତ ଟନେଲ୍ ଅତିକ୍ରମ କରିବା ପରେ ତାଙ୍କୁ ବିଶେଷ କିଛି ଲାଗି ନ ଥିବା କଥା ହ୍ୟାରି କହିଛନ୍ତି। ସେ କହିଛନ୍ତି, ଉକ୍ତ ଟନେଲ୍ ବଡ଼ ବିପଜ୍ଜନକ ହୋଇଥିବ ବୋଲି ପୂର୍ବରୁ ମୋର ଧାରଣା ଥିଲା, କିନ୍ତୁ ଦେଖିଲି ସେଇଟା ଖୁବ୍ ଛୋଟ ଓ ସାଜସଜ୍ଜା ନ ଥିବା ସାଧାରଣ ଟନେଲ୍ଟିଏ।