ସାନ୍ତା ବାର୍ବରା: ଶୁକ୍ରବାର ଦିନ ପ୍ରିନ୍ସ୍ ହ୍ୟାରି ଓ ମେଘାନ୍ ମାର୍କଲ୍ (ଡ୍ୟୁକ୍ ଆଣ୍ଡ୍ ଡଚେସ୍ ଅଫ୍ ସସେକ୍ସ) ଦ୍ବିତୀୟ ସନ୍ତାନର ପିତାମାତା ହୋଇଛନ୍ତି। ସେଦିନ ମେଘାନ୍ ଏକ ସ୍ବାସ୍ଥ୍ୟବତୀ କନ୍ୟା ଜନ୍ମ ଦେଇଥିବା ଜଣାପଡ଼ିଛି।
ରବିବାର ଦିନ ପ୍ରିନ୍ସ୍ ହ୍ୟାରି ଓ ମେଘାନ୍ଙ୍କ ତରଫରୁ ଜଣେ ମୁଖପାତ୍ର କହିଛନ୍ତି ଯେ, ଦମ୍ପତି ସେମାନଙ୍କର ପିଲା ଲିଲିବିଟ୍ ‘ଲିଲି’ ଡାଏନା ମାଉଣ୍ଟବେଟେନ୍-ୱିନ୍ସର୍’ଙ୍କୁ ସ୍ବାଗତ କରିଛନ୍ତି। ଝିଅଟିର ଓଜନ ୩ କିଲୋ ୧୭୫ ଗ୍ରାମ୍।
/sambad/media/post_attachments/wp-content/uploads/2021/06/mh-1024x576.jpg)
ଝିଅର ପ୍ରଥମ ନାମ ‘ଲିଲିବିଟ୍’ ହେଉଛି ଇଂଲଣ୍ଡ୍ର ମହାରାଣୀଙ୍କ ଡାକ ନାମ। ମଝି ନାଆଁଟି ଦିଆଯାଇଛି ତା’ର ଜେଜୀମା ବା ହ୍ୟାରିଙ୍କ ମା’ଙ୍କ ସମ୍ମାନାର୍ଥେ। ବ୍ରିଟିସ୍ ସିଂହାସନର ଉତ୍ତରାଧିକାରିଣୀ ଭାବେ ତା’ର ସ୍ଥାନ ଅଷ୍ଟମରେ ରହିଛି।
କିନ୍ତୁ, ନବଜାତ କନ୍ୟାର କିଂବା ‘ସସେକ୍ସ୍’ମାନଙ୍କର (ହ୍ୟାରି ଓ ମେଘାନ୍) କୌଣସି ଫଟୋ ଏହି ଘୋଷଣାନାମା ସହ ପ୍ରକାଶ କରାଯାଇନାହିଁ।
ତେଣେ, ନାତି ପ୍ରିନ୍ସ୍ ହ୍ୟାରି ଏବଂ ନାତୁଣୀବୋହୂ ମେଘାନ୍ ମାର୍କଲ୍ଙ୍କର ଝିଅଟିଏ ହୋଇଥିବାରୁ ବ୍ରିଟେନ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ ଏବଂ ତାଙ୍କ ପରିବାର ଆନନ୍ଦିତ ବୋଲି ରବିବାର ଦିନ ବକିଙ୍ଗ୍ହାମ୍ ରାଜପ୍ରାସାଦରୁ ପ୍ରକାଶିତ ଏକ ବିବୃତିରେ ଉଲ୍ଲେଖ ଅଛି।
ହ୍ୟାରି ଏବଂ ଆମରେିକୀୟ ଅଭିନେତ୍ରୀ ମେଘାନ୍ ମାର୍କଲ୍ ୨୦୧୮ ମେରେ ୱିନ୍ସର୍ କ୍ୟାସେଲ୍ରେ ବିବାହ କରିଥିଲେ। ବିବାହର ବର୍ଷକ ପରେ ତାଙ୍କର ପୁଅ ଆର୍କି ଜନ୍ମ ହୋଇଥିଲା।