ଲଣ୍ଡନ : ବ୍ରିଟେନ୍ର ମହାରଣୀ ଏଲିଜାବେଥ୍-୨ଙ୍କ ସ୍ବାମୀ ପ୍ରିନ୍ସ ଫିଲିପ୍ଙ୍କର ଶୁକ୍ରବାର ଦିନ ୯୯ ବର୍ଷ ବୟସରେ ପରଲୋକ ହୋଇଛି। ଫିଲିପ୍ଙ୍କ ଜନ୍ମ ଡେନିସ୍ ରାଜ ପରିବାରରେ ହୋଇଥିଲା। ବାଲ୍ୟାବସ୍ଥାରେ ତାଙ୍କ ପରିବାରକୁ ଦେଶରୁ ବହିଷ୍କାର କରାଯାଇଥିଲା। ୧୮ ବର୍ଷ ବୟସରେ ଫିଲିପ୍ ବ୍ରିଟିଶ୍ ନୌସେନାରେ ସାମିଲ ହୋଇଥିଲେ। ୧୯୩୭ରେ ସେ ପ୍ରଥମ ଥର ପାଇଁ ରାଜକୁମାରୀ ଏଲିଜାବେଥ୍ଙ୍କୁ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୧୯୪୭ରେ ସେ ଏଲିଜାବେଥ୍ଙ୍କୁ ବିବାହ କରିଥିଲେ। ଅଗଷ୍ଟ ୨୦୧୭ରେ ୯୬ ବର୍ଷ ବୟସରେ ସେ ବ୍ରିଟିଶ ରାଜସେବାରୁ ଅବସର ନେଇଥିଲେ।
ପ୍ରିନ୍ସ ଫିଲିପ୍ଙ୍କ ବିୟୋଗରେ ସମଗ୍ର ବ୍ରିଟେନ ଶୋକାକୁଳ ଥିବା ବେଳେ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ତାଙ୍କର ଅସାଧାରଣ ଜୀବନକୁ ବିପୁଳ ପ୍ରଶଂସା କରିଛନ୍ତି। ଜନ୍ସନ୍ କହିଛନ୍ତି, ଏଡିନବର୍ଗ୍ର ଡ୍ୟୁକ୍ ରାଜକୀୟ ନୌସେନାରେ ସେବା କରିବା ପରେ ଏବଂ ଅନେକ ଦଶନ୍ଧି ଧରି ରାଜକୀୟ କନସର୍ଟ୍ ରହିବାପରେ ବିଶ୍ବବ୍ୟାପୀ ଅପାର ସୁଖ୍ୟାତି ଅର୍ଜନ କରିଥିଲେ। ବିଭିନ୍ନ ପିଢ଼ିରେ ସେ ଜଣେ ଆଦରଣୀୟ ବ୍ୟକ୍ତିତ୍ବ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ। ପ୍ରିନ୍ସ ଫିଲିପ୍ଙ୍କ ମହାନ ଜୀବନ ଏବଂ କାମ ପାଇଁ ଆମେ ଏକ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଛୁ ବୋଲି ଜନସନ୍ କହିଛନ୍ତି। ପ୍ରିନ୍ସ ଫିଲିପ୍ଙ୍କ ଅନେକ କାର୍ଯ୍ୟ ମଧ୍ୟରେ ରାଣୀଙ୍କୁ ତାଙ୍କର ଅଗାଧ ସମର୍ଥନ ସର୍ବଦା ମନେ ରହିବ ବୋଲି ଜନ୍ସନ୍ କହିଛନ୍ତି। ବୋରିସ୍ ଜନସନ୍ଙ୍କ ସହ ଅନେକ ବିଶ୍ବ ନେତା ଫିଲିପ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସମସ୍ତ ରାଜ୍ୟଗୋଷ୍ଠୀ ରାଷ୍ଟ୍ରରେ ତାଙ୍କର ଲୋକପ୍ରିୟତା ଏବଂ ବିକାଶମୁଖୀ ଚିନ୍ତାଧାରା ଚର୍ଚ୍ଚାରେ ରହିଥିବା ବେଳେ ଆଜି ତାଙ୍କର ପରଲୋକ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଜନ୍ସନ କହିଛନ୍ତି।
ଭାରତକୁ ପ୍ରିନ୍ସ ଫିଲିପ୍ଙ୍କ ୩ ରାଜକୀୟ ଗସ୍ତ, ବାଘକୁ ନେଇ ବିବାଦରେ ଫସିଥିଲେ
ଲଣ୍ଡନ୍ : ଏଡିନବର୍ଗ ଡ୍ୟୁକ୍ ପ୍ରିନ୍ସ ଫିଲିପ୍ ଭାରତକୁ ୩ ଥର ରାଜକୀୟ ଗସ୍ତରେ ଆସିଥିଲେ। ଫିଲିପ୍ ରାଣୀ ଏଲିଜାବେଥ୍-୨ଙ୍କ ସହ ୧୯୬୧, ୧୯୮୩ ଏବଂ ୧୯୯୭ରେ ଭାରତ ଗସ୍ତରେ ଆସିଥିଲେ। ତେବେ ୧୯୬୧ରେ ଭାରତ ଗସ୍ତ ସମୟରେ ସେ ରାଣୀ ଏଲିଜାବେଥ୍ -୨ ଏବଂ ଜୟପୁରର ମହାରାଜା ଏବଂ ମହାରାଣୀଙ୍କ ସହ ଏକ ମୃତ ବାଘ ସହ ଫଟୋ ଉଠାଇଥିଲେ। ଶିକାର ପାଇଁ ଯାଇ ସେ ଏକ ବାଘକୁ ଗୁଳି କରିଥିଲେ। ଏହି ବାଘ ସହ ସେ ଫଟୋ ଉଠାଇ ବିବାଦରେ ଫସି ଯାଇଥିଲେ। ସେ ଏକ କଇଁଛ ଏବଂ ଏକ ଜଙ୍ଗଲି ମେଣ୍ଢା ଶିକାର କରିଥିଲେ ମଧ୍ୟ ସେ ବାଘ ଶିକାରକୁ ନେଇ ଯେଉଁ ଫଟୋ ଉଠାଇଥିଲେ ତାକୁ ନେଇ ସାରା ବିଶ୍ବବ୍ୟାପୀ ଚର୍ଚ୍ଚା ହୋଇଥିଲା। ବିଭିନ୍ନ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ଫିଲିପ୍ଙ୍କ ବିବାଦୀୟ ବୟାନ ମଧ୍ୟ ଚର୍ଚ୍ଚାରେ ରହିଥିଲା।