ରାଜକୁମାରୀ ଡାଏନାଙ୍କ ଚିଠି ବିକ୍ରି ହେବ

ଲଣ୍ଡନ : ବର୍ତ୍ତମାନର କିଙ୍ଗ ଚାର୍ଲସ-୩ୟଙ୍କଠାରୁ ବିବାହ-ବିଚ୍ଛେଦ ସମୟରେ ରାଜକୁମାରୀ ଡାଏନା ତାଙ୍କ ସାଙ୍ଗମାନଙ୍କୁ ଯେଉଁ ବ୍ୟକ୍ତିଗତ ଚିଠି ଲେଖିଥିଲେ, ସେଗୁଡ଼ିକୁ ନିଲାମ କରାଯିବ ବୋଲି ଜଣାପଡ଼ିଛି। ନିଲାମକାରୀ ସଂସ୍ଥା ଲେ’ଜ୍ ଅକ୍ସନିୟର୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ‘ଇଣ୍ଡିଭିଜୁଆଲ ଲଟ୍‌’ରେ ‘ଅତ୍ୟନ୍ତ ବ୍ୟକ୍ତିଗତ’ ଓ ‘ଆଶ୍ଚର୍ଯ୍ୟଜନକ’ ଏହି ଚିଠିଗୁଡ଼ିକ ବିକ୍ରି କରାଯିବ।

ରାଜକୁମାରୀ ଡାଏନା ତାଙ୍କର ଦୁଇଜଣ ଘନିଷ୍ଠ ବାନ୍ଧବୀ ସୁସି ଓ ତାରେକ କାସେମଙ୍କୁ ଚିଠିଗୁଡ଼ିକ ଲେଖିଥିଲେ। ସେ ଦୁହେଁ ୨୫ ବର୍ଷ ହେଲା ସେଗୁଡ଼ିକ ସାଇତି ରଖିଛନ୍ତି। ତାଙ୍କ ପରିବାରର ଅନ୍ୟ କାହାକୁ ବି ସେମାନେ ଚିଠିଗୁଡ଼ିକ ଦେବାକୁ ଚାହାନ୍ତି ନାହିଁ। ବନ୍ଧୁତାର ମର୍ଯ୍ୟାଦାକୁ ସେମାନେ କିପରି ରକ୍ଷା କରିଚାଲିଛନ୍ତି, ଏଥିରୁ ଅନୁମେୟ ବୋଲି ନିଲାମ ସଂସ୍ଥା ପ୍ରକାଶ କରିଛି। ବର୍ତ୍ତମାନ ଏହି ଚିଠି ନିଲାମରୁ ଯେଉଁ ଅର୍ଥ ମିଳିବ ସେଥିରେ କିଛି ଦାତବ୍ୟ କାର୍ଯ୍ୟ କରାଯିବ ଯାହା ଡାଏନା ଓ ତାଙ୍କ ବାନ୍ଧବୀଙ୍କର ପ୍ରିୟ ବୋଲି ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର