କଲେଜ ପରିସରରୁ ସାନିଟାରି ପ୍ୟାଡ୍‌ ମିଳିବା ପରେ ୬୮ ଛାତ୍ରୀଙ୍କୁ ଉଲଗ୍ନ କରି ଯାଞ୍ଚ କଲେ ପ୍ରିନ୍ସିପାଲ

ଜାତୀୟ ମହିଳା କମିସନଙ୍କ ହସ୍ତକ୍ଷେପ ପରେ ପୁଲିସ ତଦନ୍ତ ଆରମ୍ଭ

ଭୁଜ: ଗୁଜରାଟର ଭୁଜ ସ୍ଥିତ ଏକ କଲେଜ୍‌ର ଛାତ୍ରୀ ନିବାସରେ ଘଟିଥିବା ଲଜ୍ଜାଜନକ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କଲେଜ ପରିସରରେ ସାନିଟାରି ପ୍ୟାଡ୍‌ ପଡ଼ିଥିବା ଦେଖିବାକୁ ମିଳିବା ପରେ ପ୍ରିନ୍ସିପାଲ ଛାତ୍ରୀମାନଙ୍କ ଋତୁସ୍ରାବ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପ୍ରମାଣ ପାଇବା ପାଇଁ ସେ ଅନ୍ୟ ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ୬୮ ଜଣ ଛାତ୍ରୀଙ୍କୁ ଉଲଗ୍ନ ହେବାକୁ କହିଥିଲେ। ଛାତ୍ରୀମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଇଥିଲା ଏବଂ ଏହି ଘଟଣାରେ ଛାତ୍ରୀମାନେ ଗଭୀର ମାନସିକ ଆଘାତ ପାଇଛନ୍ତି। ଘଟଣା ପ୍ରଘଟ ହେବାପରେ କଚ୍ଛ ବିଶ୍ବବିଦ୍ୟାଳୟ ପ୍ରଶାସନ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁଳପତି ଦର୍ଶନା ଢୋଲକିୟା କହିଛନ୍ତି। କୁଳପତିଙ୍କ ନେତୃତ୍ବରେ ଏକ ଟିମ୍‌ ମଧ୍ୟ ଉକ୍ତ କଲେଜ ପରିଦର୍ଶନ କରି ଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

ଏହି ମାମଲାରେ ଜାତୀୟ ମହିଳା କମିସନ ହସ୍ତକ୍ଷେପ କରିବା ସହ ତୁରନ୍ତ ଏହାର ପୁଲିସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରୁ ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ମହିଳା କମିସନ ଏହି ଘଟଣା ଘଟିଥିବା ସହଜାନନ୍ଦ ମହିଳା ମହାବିଦ୍ୟାଳୟର ଟ୍ରଷ୍ଟି ଏବଂ ପ୍ରିନ୍ସିପାଲ ରିତା ରାନିଗାଙ୍କୁ ଏ ବାବଦରେ କୈଫିୟତ ଦେବାକୁ କହିଛନ୍ତି। ଅନେକ ମହିଳା ସଂଗଠନ ଏଭଳି ଅମନବୀୟ କାର୍ଯ୍ୟର ପ୍ରତିବାଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର