ଫ୍ଲୋର୍ ଟେଷ୍ଟ ପୂର୍ବରୁ ଇସ୍ତଫା କମଳନାଥଙ୍କଠାରୁ ଉଦ୍ଧବଙ୍କ ଯାଏ

କମଳନାଥ, ମଧ୍ୟପ୍ରଦେଶ, ମାର୍ଚ୍ଚ ୨୦୨୦, ଦେବେନ୍ଦ୍ର ଫଡ଼ନାବିସ, ମହାରାଷ୍ଟ୍ର, ନଭେମ୍ବର ୨୦୧୯

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବୁଧବାର ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁନ୍ ୩୦ରେ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରର ଫ୍ଲୋର୍ ଟେଷ୍ଟ (ସଂଖ୍ୟାଗରିଷ୍ଠତାର ପରୀକ୍ଷା) ହେବ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ପରେ ସେ ଫେସ୍‌ବୁକ୍ ଲାଇଭ୍ ଜରିଆରେ ନିଜର ଇସ୍ତଫା ଘୋଷଣା କରିଦେଲେ। ତାଙ୍କ ପ୍ରତି ସଂଖ୍ୟାଗରିଷ୍ଠ ବିଧାୟକଙ୍କର ଆସ୍ଥା ନାହିଁ ଜାଣି ଉଦ୍ଧବ ଠାକରେ ଫ୍ଲୋର୍ ଟେଷ୍ଟର ଦିନକ ପୂର୍ବରୁ ଇସ୍ତଫା ଦେଲେ। ତେବେ ଉଦ୍ଧବ ଏକା ନୁହନ୍ତି, ଫ୍ଲୋର ଟେଷ୍ଟ ପୂର୍ବରୁ ଆଗରୁ ଏମିତି ଅନେକ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

କମଳନାଥ, ମଧ୍ୟପ୍ରଦେଶ, ମାର୍ଚ୍ଚ ୨୦୨୦
ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ମାର୍ଚ୍ଚ ୧୦, ୨୦୨୦ରେ ବିଜେପିରେ ଯୋଗ ଦେଲେ। ତା’ ପୂର୍ବରୁ ତାଙ୍କର ଅନୁଗତ ୨୨ ଜଣ ବିଧାୟକ ତାଙ୍କ ନେତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରି ତା’ର ପ୍ରତିବାଦରେ କଂଗ୍ରେସରୁ ଇସ୍ତଫା ଦେଇସାରିଥିଲେ। ତେଣୁ କମଳନାଥ ସରକାର ସଂଖ୍ୟାଲଘୁ ହୋଇପଡ଼ିଲା। ଏକ ଫ୍ଲୋର୍ ଟେଷ୍ଟ ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେବା ପରେ ସେ ଆସ୍ଥା ଭୋଟ୍‌କୁ ନ ଯାଇ ଇସ୍ତଫା ଦେଇଥିଲେ।

ଦେବେନ୍ଦ୍ର ଫଡ଼ନାବିସ, ମହାରାଷ୍ଟ୍ର, ନଭେମ୍ବର ୨୦୧୯
ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୮୦ ଘଣ୍ଟା ନ ପୂରୁଣୁ ନଭେମ୍ବର ୨୬, ୨୦୧୯ରେ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବ୍ୟକ୍ତିଗତ କାରଣ ଦର୍ଶାଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଇସ୍ତଫା ଦେବା ପରେ ତାଙ୍କ ପାଇଁ ଏଭଳି ପରିସ୍ଥିତି ଉପୁଜିଲା। ଇସ୍ତଫା ଦେବାବେଳେ ଫଡ଼ନାବିସ୍ କହିଥିଲେ- ପାୱାର ଗଲା ପରେ ଆମ ପାଖରେ ଆଉ ସଂଖ୍ୟାଗରିଷ୍ଠତା ନାହିଁ। ଆମେ ଘୋଡ଼ାବେପାର କରିପାରିବୁନି। ଏହାପରେ ସମସ୍ତଙ୍କୁ ଚକିତ କରି କଂଗ୍ରେସ ଓ ଏନ୍‌ସିପି ସମର୍ଥନରେ ଉଦ୍ଧବଙ୍କ ନେତୃତ୍ବରେ ଶିବସେନା ସରକାର ଗଢ଼ିଲା।

ବିଏସ୍‌ ୟେଦୁରପ୍ପା, କର୍ଣ୍ଣାଟକ, ମେ ୨୦୧୮
୨୦୧୮ ମେ ୧୭ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଏସ୍ ୟେଦୁରପ୍ପା ମେ ୧୯ରେ ଇସ୍ତଫା ଦେଇଥିଲେ। କାରଣ ଫ୍ଲୋର୍ ଟେଷ୍ଟ ପୂର୍ବରୁ ସେ ଆବଶ୍ୟକ ସମର୍ଥନ ଯୋଗାଡ଼ କରିପାରିଲେ ନାହିଁ। ୨୦୧୮ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହେଲେ ମଧ୍ୟ କଂଗ୍ରେସ ସମର୍ଥନରେ ଜେଡି(ଏସ୍) ସରକାର ଗଢ଼ିଥିଲା।

ନବାମ ଟୁକି, ଅରୁଣାଚଳପ୍ରଦେଶ, ଜୁଲାଇ ୨୦୧୬
ସୁପ୍ରିମ୍‌କୋର୍ଟଙ୍କ ଜୁଲାଇ ୧୩, ୨୦୧୬ର ରାୟ ଅନୁଯାୟୀ ନବାମ ଟୁକିଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଗଢ଼ିଲା। ରାଜ୍ୟପାଳ ଟୁକିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କହିଲେ। କିନ୍ତୁ ଜୁଲାଇ ୧୬ରେ ଫ୍ଲୋର୍ ଟେଷ୍ଟର ଧାର୍ଯ୍ୟ ସମୟର କେଇଘଣ୍ଟା ପୂର୍ବରୁ ଟୁକି ଇସ୍ତଫା ଦେଇଦେଲେ।

ଜିତନରାମ ମାଂଝି, ବିହାର, ଫେବ୍ରୁଆରି ୨୦୧୫
୨୦୧୪ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଜେଡି(ଏସ୍‌) ନେତା ନୀତୀଶ କୁମାର ତାଙ୍କ ଜାଗାରେ ଜିତନରାମ ମାଂଝିଙ୍କୁ ବାଛିଲେ। କଥା ହୋଇଥିଲା ମାଂଝି ପରବର୍ତ୍ତୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ଏବଂ ତା’ପରେ ନୀତୀଶ କୁମାରଙ୍କୁ ଗାଦି ଛାଡ଼ିଦେବେ। କିନ୍ତୁ ଯୋଜନା ପଲଟିଗଲା, ମାଂଝି ଚୌକି ଛାଡ଼ିବାକୁ ଚାହିଁଲେନି। ମାଂଝି ନୀତୀଶଙ୍କ ବିରୋଧରେ ବିଦ୍ରୋହ କଲେ ଓ ଦଳରୁ ତଡ଼ା ଖାଇଲେ। ତା’ପରେ ତାଙ୍କୁ କୁହାଗଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅ। ବିଧାନସଭାରେ ଆସ୍ଥାଭୋଟ ହେବାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜିତନରାମ ମାଂଝି।

ସମ୍ବନ୍ଧିତ ଖବର