କଏଦୀଙ୍କୁ ଅପହରଣ ପ‌ରେ ହତ୍ୟା ମାମଲା:୧୧ ପୁଲିସଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ଅମୃତସର : ହତ୍ୟା ମାମଲାରେ ଅମୃତସର କେନ୍ଦ୍ରୀୟ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜ‌ଣେ କଏଦୀଙ୍କୁ ଅପହରଣ ପରେ ହତ୍ୟା କରାଯିବା ମାମଲାରେ ଆଜି ୧୧ ପୁଲିସଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ୨୦୧୪ ମସିହାରେ ଏହି କଏଦୀ ହତ୍ୟା ଘଟଣା ଘଟିଥିଲା। ବିକ୍ରମଜିତ ସିଂହ ୨୦୦୨ ମସିହାରେ ପଂଜାବର ତର୍ନ ତରନ୍‌ ଜିଲ୍ଲା ଅଧୀନସ୍ଥ ଆଲଗୋନ୍‌ କୋଠି ଗ୍ରାମରେ ଜଣେ ଅକାଳି ‌ଦଳ ନେତା ଗୁର୍ଡିଆଲ ସିଂହଙ୍କ ସମେତ ୬ ଜଣଙ୍କୁ ହତ୍ୟା କରିଥିଲେ। ଗୁର୍ଡିଆଲ ଜଣେ ପୂର୍ବତନ କଂଗ୍ରେସ ନେତା ଥିଲେ। କଂଗ୍ରେସ ସହ ମତଭେଦ ହେବାପରେ ସେ ପରେ ଅକାଳି ଦଳରେ ‌ଯୋଗ ଦେଇଥିଲେ। ମାମଲାର ତଦନ୍ତ ପରେ ବିକ୍ରମଜିତ୍‌ ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ବିକ୍ରମଜିତ୍‌ ଅମୃତସର କେନ୍ଦ୍ରୀୟ ଜେଲ୍‌ରେ ସଜା କାଟୁଥିଲା। ତେବେ ୨୦୧୪ ମେ’ ୫ ତାରିଖରେ ବିକ୍ରମଜିତ୍‌କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରୁ ତାକୁଏକ ପୁଲିସ ଦଳ ଅପହରଣ କରି ବାଟ୍‌ଲା ନେଇଯାଇଥିଲେ ଏବଂ ସେଠାରେ ତାକୁ ହତ୍ୟା କରାଯାଇଥିଲା। ଏହି ମାମଲାଟିକୁ ପୁଲିସ ଦବାଇ ଦେବାକୁ ଚେଷ୍ଟା କରିଥିଲା। ମେ’ ୬, ୨୦୧୪ରେ ପୁଲିସ ବିକ୍ରମସିଂହଙ୍କ ବିରୋଧରେ ଏକ ମାମଲା ରୁଜୁ କରି କହିଥିଲା ଯେ ସେ ହସ୍ପିଟାଲ୍‌ରୁ ଖସି ପଳାଇଛି। କିନ୍ତୁ ବିକ୍ରମଜିତଙ୍କ ଭାଇ କହିଥିଲେ ଯେ ପୁଲିସ ହିଁ ଯୋଜନାବଦ୍ଧ ଭାବେ ତାଙ୍କ ଭାଇଙ୍କୁ ହତ୍ୟା କରିଛି। ଏହାପରେ ଉକ୍ତ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହେଲା। ଏସ୍‌ଆଇଟି ତଦନ୍ତରୁ ସତ୍ୟ ସାମ୍ନାକୁ ଆସିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ ବିକ୍ରମଜିତ ନିଶାସକ୍ତ ହୋଇପଡ଼ିଥିଲା। ହତ୍ୟାକାଣ୍ଡ ସଂପର୍କରେ ଅଧିକ ତଥ୍ୟ ଜାଣିବାପାଇଁ ପୁଲିସ ତାକୁ ହସ୍ପିଟାଲ୍‌ରୁ ଅପହରଣ କରିନେଇ ବାଟଲାର ଏକ ଟ୍ରାକ୍ଟର ୱାର୍କସପ୍‌କୁ ନେଇଥିଲା। ସେଠାରେ ଇନ୍ସପେକ୍ଟର ନରାଙ୍ଗ ସିଂହଙ୍କ ଅଧୀନରେ ଏକ ପୁଲିସ ଦଳ ତାଙ୍କୁ ଜେରା କରିଥିଲେ। ଏହି ସମୟରେ ତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା। ଫଳରେ ସେଠାରେ ହିଁ ବିକ୍ରମଜିତର ମୃତ୍ୟୁ ହୋଇ ଯାଇଥିଲା। ପରେ ଶବକୁ ପୁଲିସ ଏକ କେନାଲରେ ଭସାଇ ଦେଇ ଘଟଣାଟିକୁ ଚପାଇ ଦେବାକୁ ଚେଷ୍ଟା କରିଥିଲା। ଏହି ମାମଲାରେ ୧୧ ପୁଲିସଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଆଇପିସିର ଧାରା ୩୦୨, ୩୬୪ , ୩୪୨ ଏବଂ ୧୨୦ବି ଅଧୀନରେ ମାମଲା ରୁଜୁ ହୋଇଛି। ଇନ୍ସପେକ୍ଟର ନରାଙ୍ଗ ସିଂହ, ଏଏସ୍‌ଆଇ ଗୁଲ୍‌ସନବୀର ସିଂହ, ସବିନ୍ଦର ସିଂହ, ହେଡ କନେଷ୍ଟବଳ ଜଗଜିତ ସିଂହ, ଗୁରପ୍ରିତ ସିଂହ ଏବଂ ଲାଖୱିନ୍ଦର ସିଂହ, କନେଷ୍ଟବଳ ଅମନଦୀପ ସିଂହ, ମଖତୁଲ ସିଂହ, ଅଙ୍ଗ୍ରେଜ ସିଂହ, ରନଧୀର ସିଂହ ଏବଂ ଲକ୍ଷୱିନ୍ଦର ସିଂହ ପୁଲିସ ଇନଫରମର୍‌ ଜଗତର ସିଂହ ଓରଫ୍‌ କାନ୍‌ସିଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସମ୍ବନ୍ଧିତ ଖବର