ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜେଲ୍‌ ସଂସ୍କାର ସଂପର୍କିତ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ଜିଲ୍ଲାସ୍ତରୀୟ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଜେଲ୍‌ରେ ଉପଲବ୍ଧ ହେଉଥିବା ମୌଳିକ ସୁବିଧାଗୁଡିକର ଆକଳନ କରି ରିପୋର୍ଟ ଦେବ ତଥା ମଡେଲ ଜେଲ୍‌ ମାନୁଆଲ୍‌ ୨୦୧୬ ସଂଦର୍ଭରେ ଆବଶ୍ୟକ ଅତିରିକ୍ତ ଜେଲ ସଂଖ୍ୟା ଉପରେ ଅବଗତ କରାଇବ। ବିଚାରପତି ହିମା କୋହଲୀ ଏବଂ ବିଚାରପତି ଅନାମୁଲ୍ଲାହଙ୍କ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କୁ କୋର୍ଟ ଆଦେଶ ହସ୍ତଗତ ହେବାର ଗୋଟିଏ ସପ୍ତାହ ଭିତରେ କମିଟି ଗଠନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଗୁଡିକ ଗଠନ ହେବାର ୨ ସପ୍ତାହ ଭିତରେ ପ୍ରଥମ ବୈଠକ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଉକ୍ତ କମିଟିରେ ଜିଲ୍ଲା ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ, ସଦସ୍ୟ ସଚିବ(ଡିଏଲଏସଏ), ଜିଲ୍ଲା ମାଜିଷ୍ଟ୍ରେଟ(ସ୍ବତନ୍ତ୍ର ଜିଲ୍ଲାର ପ୍ରଭାରୀ), ଜିଲ୍ଲା ପୋଲିସ ଅଧିକ୍ଷକ ଏବଂ ଜେଲ ଅଧିକ୍ଷକ ସାମିଲ ହେବେ। ଖଣ୍ଡପିଠ କମିଟିକୁ ଜେଲ୍‌ ସଂପ୍ରସାରଣ ବାବଦରେ ଆବଶ୍ୟକ ଯାଞ୍ଚ, ଜେଲ୍‌ର ବର୍ତ୍ତମାନ କ୍ଷମତା ତଥା ଭବିଷ୍ୟତର ଦାବି ଅନୁସାରେ ଜିଲ୍ଲାରେ ନୂଆ ଜେଲ ସ୍ଥାପନ କରିବା ପାଇଁ ଜମି ଅଧିଗ୍ରହଣ କରିବା ସଂପର୍କିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ କମିଟି ବିଚାରାଧୀନ ଥିବା ପ୍ରକଳ୍ପ ତତା ପ୍ରସ୍ତାବର ସ୍ଥିତିକୁ ଦୂଷ୍ଟିରେ ରଖିବ। ଏଥି ସହିତ କମିଟିଗୁଡିକ ଆଲୋଚନା ବେଳେ ଭିଡିଓ କନ୍‌ଫରେନ୍ସିଂର ଆବଶ୍ୟକତାକୁ ମଧ୍ୟ ଧ୍ୟାନରେ ରଖିବ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯,୨୦୨୪କୁ ଧାର୍ଯ୍ୟ କରା ଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଶୁଣାଣି ସମୟରେ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ବର୍ତ୍ତମାନ ସ୍ଥାପିତ ହୋଇଥିବା ଜେଲ୍‌ମାନଙ୍କର ସଂଖ୍ୟା,ଜେଲ୍‌ର ବାସ୍ତବିକ କ୍ଷମତା ତଥା ଅଧିକ ଜେଲ ସ୍ଥାପନ କରିବା ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ବିବରଣୀ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ କୋର୍ଟଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ଆମିକସ କ୍ୟୁରି ଖଣ୍ଡପିଠଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟମାନଙ୍କୁ ପାଖରୁ ସଂଗ୍ରହିତ ଡାଟାଗୁଡିକୁ ସଙ୍କଳନ କରି କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଥିଲେ।