ନିଜ ହାତରେ ଜେଲକୁ ନୂଆ ରୂପ ଦେଲେ କଏଦୀ, ଜେଲ କାନ୍ଥରେ ଶୋଭା ପାଉଛି କଏଦୀଙ୍କ ଚିତ୍ର

ଜୟପୁର: ଦୋଷ ପରେ ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀଙ୍କ ମଧ୍ୟରେ ବି ଏମିତି କିଛି କଳାକୌଶଳ ଲୁଚି ରହିଥାଏ, ଯାହାକି ସେମାନେ କେବେ ପରିପ୍ରକାଶ କରିପାରନ୍ତି ନାହିଁ | କିନ୍ତୁ ଜେଲ କର୍ମଚାରୀଙ୍କ ପ୍ରଚେଷ୍ଟା ଓ ସହଯୋଗ ପରେ କଏଦୀଙ୍କ ଲୁକ୍କାୟିତ କଳା ମଧ୍ୟ ପ୍ରସ୍ଫୁଟିତ ହୋଇପାରେ | ରାଜସ୍ଥାନର ଉଦୟପୁର କେନ୍ଦ୍ରୀୟ ଜେଲର ଅନ୍ତେବାସୀ ନମ୍ବର ୨୫୯ ତାଙ୍କ କଳା କାରନାମା ଦ୍ୱାରା ଜେଲ ପରିସରକୁ ବଦଳାଇଛନ୍ତି । ଡ଼୍ରଗ୍ସ କାରବାର ମାମଲାରେ ଉଦୟପୁର ସେଣ୍ଟ୍ରାଲ୍ ଜେଲରେ ବନ୍ଦୀ ଥିବା କଏଦୀ ନମ୍ବର ୨୫୯ ଜେଲକୁ ଦେଇଛନ୍ତି ନୂତନ ପରିଚୟ |

ଏନଡ଼ିପିଏସ୍ ମାମଲାରେ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀ ସାଧୁରାମଙ୍କ ପ୍ରତିଭାକୁ ମିଳୁଛି ସାଧୁବାଦ । କଏଦୀ ସାଧୁରାମଙ୍କ ଚିତ୍ର ଅଙ୍କନରେ ରୁଚି ରହିଥିବା ଜାଣି ଜେଲ୍ ପ୍ରଶାସନ ତାଙ୍କ ହାତରେ ରଙ୍ଗତୁଳୀ ଧରାଇ ଦେଇଥିଲେ । ଆଉ ଏହାର ୨ ବର୍ଷ ପରେ ଜେଲର ମଳିନ ଚେହେରାକୁ ଆକର୍ଷଣୀୟ କରିଛନ୍ତି ସାଧୁରାମ । କାନ୍ଥରେ ଚିତ୍ର ଆଙ୍କି ସେ ଜେଲକୁ ପାର୍କର ରୂପ ଦେଇଛନ୍ତି । ଖାଲି ଏତିକି ନୁହଁ ସେ ନିଜ ପ୍ରତିଭାରେ ଅନ୍ୟ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି । ସାଧୁରାମଙ୍କୁ ଅନୁକରଣ କରି ଅନେକ କଏଦୀ ତାଙ୍କୁ ଏଥିରେ ସାହାଯ୍ୟ କରିବା ସହ ନିଜ ପାଇଁ ମଧ୍ୟ ନୂତନ ପେସା ବାଛି ସାରିଛନ୍ତି ।

photo-aajtak

୨ ବର୍ଷ ଭିତରେ ପାଖାପାଖି ୧୫ ଜଣ କଏଦୀ ଜେଲ୍ କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା କଳାକୁ ଶିଖି ଯାଇଛନ୍ତି । ପେଟ ଚାଖଣ୍ଡକ ପାଇଁ ଚୋରି, ଡ଼କାୟତି ରାସ୍ତାକୁ ଛାଡ଼ି ଏବେ ରଙ୍ଗତୁଳୀର ରାସ୍ତାକୁ ଆପଣାଇବାକୁ ଚାହାଁନ୍ତି ଏହି କଏଦୀ ।ଜେଲ୍ ପରିସରରେ ଆଧ୍ୟାତ୍ମିକ , ଐତିହାସିକ , ବନ୍ୟପ୍ରାଣୀ ତଥା ମନୋରଞ୍ଜନ କରାଉଥିବା ଚିତ୍ର ଆଙ୍କିଛନ୍ତି ସାଧୁରାମ । ଯେଉଁଥିରେ ପାଖାପାଖି ସାଢେ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସନ୍ତୋଷଜନକ କଥା ହେଉଛି ସାଧୁରାମ୍ ଜେଲରୁ ମୁକୁଳିବା ପରେ ଏହି କାମକୁ ପେସା କରିବାକୁ ଚାହୁଁଛନ୍ତି ଏବଂ ଖରାପ ରାସ୍ତାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର