ମଦ ପିଇବାକୁ କଏଦୀ କରୁଥିଲେ ଆମରଣ ଅନଶନ, ଚାଲିଗଲା ଜୀବନ

ଜୟପୁର: ଜେଲରେ ଖାଦ୍ୟକୁ ନେଇ କଏଦୀ ଅନଶନ କରୁଥିବାର ଖବର ଆପଣ ଶୁଣିଥିବେ | ହେଲେ ମଦ ପିଇବାକୁ ଜେଲରେ ଅନଶନ କରୁଥିଲେ କଏଦୀ | ଖବରଟି ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ବଂଶବାଡା ଜିଲ୍ଲାରେ ଜଣେ କଏଦୀ ମଦ ଯୋଗାଇବାକୁ ଦାବି କରି ଭୋକ ଉପାସରେ ଅନଶନ କରୁଥିଲେ | ଆଉ ପ୍ରାୟ ୨୦ ଦିନ ପରେ ଚିକିତ୍ସା ସମୟରେ କଏଦୀଙ୍କର ମୃତ୍ୟୁ ହୋଇଯାଇଛି । ଏହି କଏଦୀଙ୍କୁ ମାରପିଟ ଅଭିଯୋଗରେ ଗିରଫ କରାଯାଇଥିଲା ଓ ଜଣେ ବିଚାରାଧୀନ ବନ୍ଦୀ ଭାବରେ ସେ ଦିନ କାଟୁଥିଲେ |

ତେବେ ଜେଲରେ ମଦ ଯୋଗାଇଦେବାକୁ ସେ ଜେଲରଙ୍କୁ କହିଥିଲେ | ଯେତେବେଳେ ଜେଲ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ, ସେ ଖାଦ୍ୟ ପିଇବା ବନ୍ଦ କରିଦେଇଥିଲେ | ଏହି କାରଣରୁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ | କଏଦୀଙ୍କର ସ୍ୱାସ୍ଥ୍ୟରେ ଅବନତି ହୋଇଥିବାର ଦେଖି ଦୁଇ ଦିନ ପୂର୍ବେ ଚିକିତ୍ସା ପାଇଁ ତାଙ୍କୁ ଉଦୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଯାଇଛି |

କଏଦୀଙ୍କୁ ଅକ୍ଟୋବର ୬ରେ ପୁଲିସ ଗିରଫ କରି ଜେଲକୁ ପଠାଇଥିଲା। ଅକ୍ଟୋବର ୭ରେ ସେ ଜେଲ କର୍ମଚାରୀଙ୍କୁ ମଦ ମାଗିଥିଲେ। ଯେତେବେଳେ ତାଙ୍କୁ ମଦ ମିଳିପାରିନଥିଲା, ସେ ମଦ ଦାବି କରି ଆମରଣ ଅନଶନ କରିଥିଲେ | ଆଉ ଲଗାତାର ୧୧ ଦିନ ଧରି କିଛି ନ ଖାଇବାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା | ଆଉ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି | ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ।

ସମ୍ବନ୍ଧିତ ଖବର